Latest Odisha News

BREAKING NEWS

କଟକ ବିଜେଡିରେ କନ୍ଦଳ! ସିବିଆଇ ଭୟରେ କଡ଼ ଲେଉଟାଛନ୍ତି କି ପ୍ରଭାତ ବିଶ୍ୱାଳ?

କଟକ: ଜିଲ୍ଲା ବିଜୁ ଜନତା ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ କନ୍ଦଳ ସାମ୍ନାକୁ ଆସିଛି। ଜଣେ ନିର୍ବାଚନରେ ପରାଜୟ ବାବଦରେ ମୁହଁ ଖୋଲି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଅନ୍ୟ ଜଣେ ପରାଜୟ ବେଳେ ଏଭଳି ଗୋହି ଖୋଳିବା ପଛରେ ସିବିଆଇ ତଦନ୍ତ ଭୟ ବୋଲି କହି ଛିଗୁଲେଇଛନ୍ତି। ଦୁଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାତ ବିଶ୍ୱାଳଙ୍କ ବୟାନ ଏବେ କଟକ ବିଜେଡିରେ ଯେ ସବୁକିଛି ଠିକଠାକ ଚାଲିଛି ତାହା ଆଉ କହିହେବ ନାହିଁ ।

ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଦଳର ପରାଜୟକୁ ବିଜେଡି ବିରୋଧୀ ଲହରକୁ ଦାୟୀ କରିବା ସହ ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ସମାଲୋଚନା କରିଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ତୀବ୍ର ସମାଲୋଚନା କରିଛନ୍ତି।

ଆବଶ୍ୟକ ସମୟରେ ପ୍ରଭାତ ବିଶ୍ୱାଳ ପାଣ୍ଡିଆନ ଓ ବବି ଦାସଙ୍କ ପାଖକୁ ଯାଉଥିଲେ। ଏବେ କ’ଣ ହୋଇଛି? ଦଳ ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ ତାଙ୍କ ବିରୋଧରେ ଏଭଳି ବୟାନ ଦେବାର ଅଧିକାର ତାଙ୍କୁ କିଏ ଦେଇଛି ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି। ଦେବାଶିଷ କହିଛନ୍ତି ଯେ ପ୍ରଭାତ ଏଭଳି ବୟାନ ଦେଉଛନ୍ତି ଏବଂ ସିବିଆଇ ମାମଲାରୁ ବର୍ତ୍ତିବା ଉଦ୍ଦେଶ୍ୟରେ ବିଜେପି ଆଡକୁ ଢଳୁଛନ୍ତି।

ଜଣେ ବିଜୟୀ ବିଧାୟକଙ୍କ ପିତା ଏଭଳି ଖରାପ ସମୟରେ ଦଳକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। କାହା ବିରୋଧରେ ବୟାନ ଦେବାର ଅଧିକାର ତାଙ୍କୁ କିଏ ଦେଇଛି ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି। ପ୍ରଭାତ ଏହାର ଜବାବରେ କହିଛନ୍ତି, ଦେବାଶିଷଙ୍କୁ ତାଙ୍କ ବିରୋଧରେ କହିବାର ଅଧିକାର କିଏ ଦେଇଛି?

ମେ’ ୨୯ରେ ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ସେମାନଙ୍କୁ ଏବେ ଦାୟିତ୍ୱ ଦିଆଯାଇଛି ବୋଲି ପ୍ରଭାତ କହିଛନ୍ତି। ସମ୍ବିତ ରାଉତରାୟଙ୍କ ମନ୍ତବ୍ୟକୁ ନେଇ ଦେବାଶିଷ ତାଙ୍କୁ ଟାର୍ଗେଟ କରିଛନ୍ତି। ସମ୍ବିତ ରାଉତରାୟଙ୍କୁ ମୁଁ ରାଜନୈତିକ ସ୍ତରରେ ସମକକ୍ଷ ମଣୁନାହିଁ। ବିଜେଡିର ଦୁର୍ଗ କୁହାଯାଉଥିବା ତାଙ୍କ ନିର୍ବାଚନମଣ୍ଡଳୀର ଲୋକେ ତାଙ୍କୁ ଓ ତାଙ୍କ ପୂରା ପରିବାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ ଏପରି କହିବାର ତାଙ୍କର କୌଣସି ଅଧିକାର ନାହିଁ ବୋଲି ଦେବାଶିଷ କହିଛନ୍ତି।

ଅନ୍ୟପକ୍ଷରେ ସମ୍ବିତ ମଧ୍ୟ ଦେବାଶିଷଙ୍କୁ ଟାର୍ଗେଟ କରି କହିଛନ୍ତି, ‘ଢୋଳ ଭିତରେ ମୂଶା’ ମନ୍ତବ୍ୟ ତାଙ୍କ ଉଦ୍ଦେଶ୍ୟରେ ନୁହେଁ। ସେ କାହିଁକି ପ୍ରତିକ୍ରିୟା ଦେଉଛନ୍ତି ମୁଁ ବୁଝିପାରୁନାହିଁ। ତାଙ୍କୁ କଟକବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦଳ ପରାଜୟ କାହିଁକି କଲା ଏହାକୁ ନେଇ ନିକଟରେ ଦଳର ବରିଷ୍ଠ ନେତା ମଙ୍ଗଳା କିଷାନ ମଧ୍ୟ ଗୋହି ଖୋଳି ଟାର୍ଗେଟ୍ କରିଥିଲେ।

Comments are closed.