Latest Odisha News

BREAKING NEWS

କନ୍ଧମାଳ ପୋଲିସକୁ ବଡ଼ ସଫଳତା: ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

କନ୍ଧମାଳ: ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ ହୋଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।

ନିହତ ହୋଇଥିବା ଉଭୟ ମାଓବାଦୀ ମଙ୍କୁ ଏବଂ ଚନ୍ଦନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗୃପର ମଙ୍କୁ ACM କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୋଲିସ ପ୍ରାରମ୍ଭିକ ସୂଚନା ପାଇଛି। ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ବାଲିଗୁଡା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲ୍ଲା ପୋଲିସର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସେହି ଅନୁଯାୟୀ, କନ୍ଧମାଳ ଏସପି ହରିଶ ବି.ସି.ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଡିଭିଏଫ ଯବାନ ଟିମ ସମ୍ପୂକ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ।

ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ DVF ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ମଙ୍କୁ ଏବଂ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଉଭୟଙ୍କ ମୃତ ଦେହ ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ଅପେରସନ ଜୋରଦାର କରିଛି।

Comments are closed.