ଜଗତସିଂହପୁର: ପ୍ରେମ, ପ୍ରତାରଣା ଏବଂ ଶେଷରେ ରକ୍ତର ଖେଳ। ପ୍ରେମିକାର ଅନ୍ୟତ୍ର ନିର୍ବନ୍ଧ ହେବା କଥାକୁ ସହ୍ୟ କରିନପାରି ଜଣେ ପ୍ରେମିକ ସାଜିଛି ଜହ୍ଲାଦ। ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ସେ ୨ ଲକ୍ଷ ଟଙ୍କାର ସୁପାରି ଦେଇ ଭଡ଼ାଟିଆ ହତ୍ୟାକାରୀ ଲଗାଇଥିଲା। ଜଗତସିଂହପୁର ଜିଲ୍ଲାର ବହୁ ଚର୍ଚ୍ଚିତ ସସ୍ମିତା ଦାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ଏବେ ବଡ଼ ଖୁଲାସା କରିଛି। ଏହି ଘଟଣାର ମୁଖ୍ୟ ଖଳନାୟକ ତଥା ସୁପାରି କିଲର ‘ଲାଲୁ ଯାଦବ’କୁ ଶେଷରେ ବିହାରରୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମର ସସ୍ମିତା ଦାସଙ୍କ ସହ ସୂର୍ଯ୍ୟକାନ୍ତ ସ୍ୱାଇଁ ନାମକ ଜଣେ ଯୁବକଙ୍କର ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ କୌଣସି କାରଣରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ସସ୍ମିତାଙ୍କ ପରିବାର ଲୋକେ ତାଙ୍କର ଅନ୍ୟ ଏକ ଜାଗାରେ ନିର୍ବନ୍ଧ କରାଇଦେଇଥିଲେ। ଏହି ଖବର ସୂର୍ଯ୍ୟକାନ୍ତଙ୍କୁ ଉତ୍କ୍ଷିପ୍ତ କରିଦେଇଥିଲା। ସେ ପ୍ରତିଶୋଧ ନେବା ପାଇଁ ଝାଡ଼ଖଣ୍ଡର ଜାମସେଦପୁରରେ ନିଜ ଦୋକାନରେ କାମ କରୁଥିବା ଲାଲୁ କୁମାର ଓରଫ୍ ଲାଲୁ ଯାଦବ ସହ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା। ସସ୍ମିତାଙ୍କୁ ହତ୍ୟା କରିବା ପାଇଁ ଲାଲୁକୁ ୨ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା।
ଜଗତସିଂହପୁର ଏସ୍ପି ଅଙ୍କିତ ବର୍ମାଙ୍କ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡକୁ ରୂପରେଖ ଦେବା ପାଇଁ ସୂର୍ଯ୍ୟକାନ୍ତ ଏବଂ ଲାଲୁ ଯାଦବ ଗତ ଏପ୍ରିଲ ୧୩ ତାରିଖରେ ଜାମସେଦପୁରରୁ ଆସି ଜଗତସିଂହପୁରରେ ପହଞ୍ଚିଥିଲେ। ସେଠାରେ ସେମାନେ ଏକ ଲଜ୍ରେ ରହି ସସ୍ମିତାଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ତାଙ୍କୁ ମାରିବା ପାଇଁ ପୂର୍ବରୁ ଅନେକ ଥର ଉଦ୍ୟମ ମଧ୍ୟ କରାଯାଇଥିଲା। ଶେଷରେ ସୁଯୋଗ ଦେଖି ଲାଲୁ ଯାଦବ ଅତି ନିର୍ମମ ଭାବେ ସସ୍ମିତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।
ଏହି ବର୍ବରୋଚିତ ହତ୍ୟାକାଣ୍ଡ ପରେ ପୋଲିସ ଏକାଧିକ ଟିମ୍ ଗଠନ କରି ଖୋଳତାଡ଼ ଆରମ୍ଭ କରିଥିଲା। ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପୋଲିସ ଜାଲରେ ପଡ଼ିଥିବା ବେଳେ ସୁପାରି କିଲର ଲାଲୁ ପୋଲିସ ଆଖିରେ ଧୂଳି ଦେଇ ରାଜ୍ୟ ବାହାରକୁ ଖସି ପଳାଇଥିଲା। କିନ୍ତୁ ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଦଳ ବିହାରର କାଇମୁର ଜିଲ୍ଲାରେ ଚଢ଼ାଉ କରି ଶେଷରେ ଏହି ପେସାଦାର ଅପରାଧୀକୁ ବାନ୍ଧିବାରେ ସଫଳ ହୋଇଛି।
ଶନିବାର ଦିନ ଗିରଫ ଲାଲୁ ଯାଦବକୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ପ୍ରେମରେ ବିଫଳତା ପାଇଁ ଗୋଟିଏ ନିଷ୍ପାପ ଝିଅର ଜୀବନ ନେବା ଭଳି ଏହି ହୃଦୟ ବିଦାରକ ଘଟଣା ସମଗ୍ର ଜଗତସିଂହପୁର ଅଞ୍ଚଳରେ ଶୋକ ଏବଂ ଆଲୋଡ଼ନ ସୃଷ୍ଟି କରିଛି। ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି ସାଧାରଣରେ ଦାବି ହେଉଛି।