ପାଟନା: ପୋଲିସର ବର୍ବରତା। ପୁନଃ ପରୀକ୍ଷା ଦାବି କରୁଥିବା ଶିକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ ଓ ପାଣି ମାଡ଼ କଲା ପୋଲିସ। ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍ସି) ଆଶାୟୀଙ୍କ ଉପରେ ପୋଲିସ୍ର ବର୍ବରତା ସବୁ ସୀମା ଟିପଛି। ଶିକ୍ଷାର୍ଥୀମାନେ ୭୦ତମ ଯୁଗ୍ମ ପ୍ରବେଶିକା ପରୀକ୍ଷା (ସିସିଇ) ପୁଣି କରିବାକୁ ପାଟନାରେ ନିଜର ଆନ୍ଦୋଳନ ତୀବ୍ର କରିଛନ୍ତି।
ଶିକ୍ଷାର୍ଥୀମାନେ ପୁନଃ ପରୀକ୍ଷା ଦାବି କରୁଥିବା ବେଳେ ପୋଲିସ୍ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି। ରବିବାର ସନ୍ଧ୍ୟାରେ ସେମାନଙ୍କୁ ପାଣି ମାଡ଼ କରିଛି ପୋଲିସ। ଡିସେମ୍ବର ୧୩ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ହଜାର ହଜାର ଶିକ୍ଷାର୍ଥୀ ଗାନ୍ଧି ମୈଦାନ ନିକଟରେ ଏକାଠି ହୋଇଥିଲେ। ଏହାପରେ ସେମାନେ ଜେପି ଗୋଲାମ୍ବର ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିଲେ।
ଶିକ୍ଷାର୍ଥୀଙ୍କ ଆନ୍ଦୋଳନକୁ ଦେଖି ବ୍ୟାରିକେଡ କରାଯିବା ସହ ବିପୁଳ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ହୋଇଥିଲା। ଶିକ୍ଷାର୍ଥୀମାନେ ଆଗକୁ ବଢ଼ିବାରୁ ସେମାନଙ୍କୁ ପୋଲିସ୍ ପ୍ରବଳ ପିଟିବା ସହ ପାଣି ମାଡ଼ କରିଛି। ଏହାର ଭୟଙ୍କର ଦୃଶ୍ୟ ସବୁ ସାମ୍ନାକୁ ଆସିଛି।
ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ମଧ୍ୟ ଆନ୍ଦୋଳନରେ ସାମିଲ ହୋଇ ଶିକ୍ଷାର୍ଥୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ।
ସୂଚନା ଥାଉକି ବାପୁ ପରୀକ୍ଷା ପରିସର ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ କରି ହଜାର ହଜାର ଶିକ୍ଷାର୍ଥୀ ୧୦ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ବିପିଏସ୍ସି ଉକ୍ତ ପରୀକ୍ଷା କେନ୍ଦ୍ରରେ ପୁନଃ ପରୀକ୍ଷା କରିଥିବା ବେଳେ ଅନିୟମିତତା ସୀମିତ ଥିବାରୁ ପୂରା ପରୀକ୍ଷାକୁ ବାତିଲ କରାଯିବାର ଆବଶ୍ୟକ ନାହିଁ ବୋଲି କମିଶନ କହିଛନ୍ତି। ତେବେ ପୁନଃ ପରୀକ୍ଷା ଦାବିରେ ଶିକ୍ଷାର୍ଥୀମାନେ ଆନ୍ଦୋଳନ କରୁଥିବା ବେଳେ ପୋଲିସ୍ ସହ ମୁହାଁମୁହିଁ ହୋଇଛନ୍ତି।
Comments are closed.