ନୂଆଦିଲ୍ଲୀ: ବିହାର ରାଜନୀତିରେ ଚର୍ଚ୍ଚାରେ ଚିରାଗ ପାଶଓ୍ବାନଙ୍କ ଗୁଗଲି । ବିହାର ବିଧାନସଭା ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ! ପ୍ରଥମେ ଲୋକ ଜନଶକ୍ତି ପାର୍ଟି ରାମବିଳାଶ ପାଇଁ ୩୦ଟି ବିଧାନସଭା ସିଟ୍ ମାଗିଥିଲେ ଚିରାଗ । ପରେ ସେ ନିଜେ ବିଧାନସଭା ନିର୍ବାଚନ ଲଢିବା ଚର୍ଚ୍ଚା ବିହାର ରାଜନୀତିକୁ ସରଗରମ କରିଛି । ଚିରାଗଙ୍କ ଦଳ ତାଙ୍କ ନିର୍ବାଚନ ଲଢିବା ପ୍ରସ୍ତାବ ପାରିତ କରିଥିବା ଜଣାପଡିଛି । ନୀତିଶ କୁମାରଙ୍କ ପରେ ବିହାରର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚିରାଗଙ୍କ ନାଁ ବି ଚର୍ଚ୍ଚା ହୁଏ । ଏବେ କେନ୍ଦ୍ରମନ୍ତ୍ରୀ ରହିଥିବା ବେଳେ ଚିରାଗ ବିଧାନସଭା ନିର୍ବାଚନ ଲଢିବା ଏହି ଚର୍ଚ୍ଚାକୁ ଆହୁରି ବଢାଇଛି ।
‘ବିହାର କା ସିଏମ୍ ଚିରାଗ ଚାହିୟେ’
ବିହାରରେ ମୁଖ୍ୟମନ୍ତ୍ରୀ ଚେହେରା ହେବେ କି ଚିରାଗ ପାଶଓ୍ବାନ? ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଭିତରେ ସୋସିଆଲ୍ ମିଡିଆରେ ତାଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରୁଥିବା ବିଭିନ୍ନ ପୋଷ୍ଟର ଦେଖିବାକୁ ମିଳୁଛି । ଏହି ଭିତରେ ଦଳ ଚିରାଗଙ୍କୁ ସଂରକ୍ଷିତ ସିଟ୍ ବଦଳରେ ଜେନେରାଲ୍ ସିଟରୁ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛି । ଚିରାଗ କେବଳ ଗୋଟିଏ ଜାତି ନୁହେଁ ବରଂ ପୂରା ବିହାରର ଆଶା, ତେଣୁ ସେ ଜେନେରାଲ୍ ସିଟରୁ ଲଢିବାକୁ ଦଳ ପ୍ରସ୍ତାବ ଦେଇଥିବା ଏଲଜେପିଆର ନେତା ତଥା ଜାମୁଇ ସାଂସଦ ଅରୁଣ ଭାରତି କହିଛନ୍ତି । ଦଳର ଏହି ଆଭିମୁଖ୍ୟ ପଛରେ ଚିରାଗଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରିବା ବୋଲି ବିଶେଷଜ୍ଞ କହିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବକୁ ବିରୋଧୀ ଲଗାତର ସମାଲୋଚନା କରୁଥିବା ବେଳେ ଏହି ସମୟରେ ଚିରାଗଙ୍କୁ ସିଏମ୍ ଚେହେରା ଭାବେ ଉପସ୍ଥାପିତ କରିବାକୁ ରଣନୀତି କରିପାରେ ଏଲଜେପିଆର।
ନିର୍ବାଚନ ଲଢିବା ପଛରେ ପ୍ଲାନ୍
କେନ୍ଦ୍ରମନ୍ତ୍ରୀ ଥିବା ଚିରାଗ କାହିଁକି ବିଧାନସଭା ନିର୍ବାଚନ ଲଢୁଛନ୍ତି? ଯେପର୍ଯ୍ୟନ୍ତ ବିହାରରେ ଦଳ ମଜବୁତ ରହିଛି, ସେପର୍ଯ୍ୟନ୍ତ ହିଁ କେନ୍ଦ୍ର ରାଜନୀତିରେ ତାଙ୍କର ଗୁରୁତ୍ବ ରହିବ, ସେକଥା ଚିରାଗ ବି ଜାଣିଛନ୍ତି । କାରଣ ଚିରାଗଙ୍କ ରାଜନୀତିର ବେସ୍ ବିହାର ହିଁ ରହିବ । ୨୦୨୦ରେ ବିହାର ନିର୍ବାଚନରେ ଚିରାଗଙ୍କ ଦଳ ଗୋଟିଏ ବି ସିଟ୍ ଜିତି ପାରିନଥିଲା । ତେଣୁ ଏଥର ନିଜେ ଚିରାଗ ନିର୍ବାଚନ ଲଢିଲେ ଏଲଜେପିଆରକୁ ଫାଇଦା ମିଳିପାରେ ବୋଲି କୁହାଯାଉଛି । ବିହାରରେ ଜଣେ ମଜବୁତ ଦଳିତ ନେତା ଭାବେ ନିଜକୁ ଉପସ୍ଥାପନ କରିବାକୁ ଚାହୁଁଛନ୍ତି ଚିରାଗ । ବିହାରର ଜଟିଳ ଜାତି ସମୀକରଣ ଓ ପାରମ୍ପରିକ ଭୋଟବ୍ୟାଙ୍କର ବିଭାଜନ ଚିରାଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞ କହିଛନ୍ତି ।
ବାର୍ଗେନିଂ ନା କ୍ଷମତାର ଚାବି !
ନୀତିଶ କୁମାରଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଚିରାଗଙ୍କୁ ଭବିଷ୍ୟତରେ ସିଏମ ଚେହେରା ଭାବେ ଦେଖା ଯାଇପାରେ । ବିହାର ଫାଷ୍ଟ, ବିହାରୀ ଫାଷ୍ଟ ଭଳି କ୍ୟାମ୍ପେନ ଦ୍ବାରା ବିହାର ରାଜନୀତିରେ ନିଜ ଉପସ୍ଥିତି ବଜାୟ ରଖିଛନ୍ତି ଚିରାଗ । ମୁଖ୍ୟମନ୍ତ୍ରୀ ଚେହେରା ନହେଲେ ମଧ୍ୟ ଅଧିକ ସିଟ୍ ଜିତି ଏଲଜେପିଆରର ବାର୍ଗେନିଂ କ୍ଷମତା ବଢାଇପାରନ୍ତି ଚିରାଗ । ତେବେ ରାଜନୀତିରେ କିଛି ଅସମ୍ଭବ ନୁହେଁ । ଜେଡିଏସର ଏଚଡି କୁମରସ୍ବାମୀ କମ୍ ସିଟ୍ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ ତ ସଂଖ୍ୟା ଦୃଷ୍ଟିରୁ ତୃତୀୟ ସ୍ଥାନରେ ରହି ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ କୁମାର । ତେଣୁ ଅଧିକ ସିଟ୍ ଜିତି କ୍ଷମତାର ଚାବି ହାତେଇ ପାରନ୍ତି ଚିରାଗ ପାଶଓ୍ବୂାନ ।
ପାଶଓ୍ବାନ ଓ ଦଳିତ ଭୋଟରଙ୍କ ମଧ୍ୟରେ ଏଲଜେପିର ଭଲ ସପୋର୍ଟ ବେସ୍ ରହିଛି । ତେବେ ଦଳ ଅଧିକ ସିଟ୍ ଦାବି କରିବା ସହ ଚିରାଗଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରାଯିବା ବିଜେପି ପାଇଁ ମୁଣ୍ଡବିନ୍ଧା ପାଲଟିପାରେ । କାରଣ ଜେଡିୟୁ ସହ ସଂପର୍କ ବିଗିଡିବା ଆଶଙ୍କା ରହିଛି ତ ମେଣ୍ଟ ଗଣିତ କଷିବାର ଚ୍ୟାଲେଞ୍ଜ ବି ରହିଛି ବିଜେପି ଆଗରେ । ୨୦୨୦ରେ ଏକଲା ଚଲୋ ନୀତି ଆପଣାଇଥିଲେ ଚିରାଗ । ସେତେବେଳେ ବି ସେ ଦଳର ଅଧ୍ୟକ୍ଷ ଥିଲେ ଓ ଏନଡିଏରେ ଥିଲେ । ହେଲେ ଏକାକୀ ୧୩୭ସିଟରେ ପ୍ରାର୍ଥୀ ଦେଇଥିଲେ ଚିରାଗ । ୨୦ବର୍ଷ ତଳେ ବି ସମାନ କାହାଣୀ ଦେଖିବାକୁ ମିଳିଥିଲା । ଚିରାଗଙ୍କ ବାପା ରାମବିଳାଶ ପାଶଓ୍ବାନ କେନ୍ଦ୍ରରେ ୟୁପିଏ ସରକାରରେ ମନ୍ତ୍ରୀ ଥିଲେ । ହେଲେ ବିହାରରେ ଏକାକୀ ନିର୍ବାଚନ ଲଢିଥିଲା ଏଲଜେପି। କେନ୍ଦ୍ରରେ ସରକାର ସହ ରହି ବି ଆରଜେଡିକୁ ଏଲଜେପି ସମର୍ଥନ କରିନଥିଲା । ଏଥର ଏହାକୁ ଦୋହରାଇବେ କି ଚିରାଗ?
Comments are closed.