Latest Odisha News

BREAKING NEWS

ସଫେଇ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି: ଗଠନ ହେବ ରାଜ୍ୟ ସଫେଇ କର୍ମଚାରୀ କମିଶନ…..

ପାଟନା: ବିହାରରେ ନିର୍ବାଚନ ପୂର୍ବରୁ, ଏବେ ମୁଖ୍ୟମନ୍ତ୍ରୀ ଜନତାଙ୍କ ଉପରେ ଉପହାରର ବର୍ଷା କରିଥିବା ବେଳେ ଏବେ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟରେ ବିହାର ରାଜ୍ୟ ସଫେଇ କର୍ମଚାରୀ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଶନର କାମ ହେବ ସଫେଇ କର୍ମଚାରୀଙ୍କ ସହ ଜଡିତ ପ୍ରତ୍ୟେକ ଯୋଜନାର ସମୀକ୍ଷା କରିବା ଏବଂ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ନିଜ ଏକ୍ସରେ ସୂଚନା ଦେଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ମହିଳାଙ୍କ ଠାରୁ ଆରମ୍ଭ କରି ମାଗଣା ବିଜୁଳି, ପେନସନ ବୃଦ୍ଧି ପର୍ଯ୍ୟନ୍ତ ଅନେକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ମୁଁ ଖୁସିର ସହିତ ଜଣାଇ ଦେଉଛି ଯେ ବିହାର ରାଜ୍ୟରେ ସଫେଇ କର୍ମଚାରୀଙ୍କ ଅଧିକାର ଏବଂ ସ୍ୱାର୍ଥର ସୁରକ୍ଷା, କଲ୍ୟାଣ, ପୁନର୍ବାସ, ସାମାଜିକ ଉନ୍ନତି, ଅଭିଯୋଗର ସମାଧାନ ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନାର ତଦାରଖ ସୁନିଶ୍ଚିତ କରିବା ପାଇଁ, ମୁଁ ବିଭାଗକୁ ବିହାର ରାଜ୍ୟ ସଫେଇ କର୍ମଚାରୀ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି କମିଶନ ସଫେଇ କର୍ମଚାରୀଙ୍କ ଅଧିକାରର ସୁରକ୍ଷା, ସେମାନଙ୍କ ଅଧିକାର ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବ ଏବଂ ସଫେଇ କାର୍ଯ୍ୟରେ ନିୟୋଜିତ ଲୋକଙ୍କ ସହ ଜଡିତ କଲ୍ୟାଣକାରୀ ଯୋଜନାଗୁଡ଼ିକର ସମୀକ୍ଷା କରିବ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବ।

ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, ବିହାର ରାଜ୍ୟ ସଫାଇ କର୍ମଚାରୀ କମିଶନର ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ଏବଂ ପାଞ୍ଚ ଜଣ ସଦସ୍ୟ ରହିବେ, ଯେଉଁମାନଙ୍କ ମଧ୍ୟରୁ ଜଣେ ମହିଳା/ଟ୍ରାନ୍ସଜେଣ୍ଡର ରହିବେ । ଏହି କମିଶନ ରାଜ୍ୟରେ ସଫେଇ କାର୍ଯ୍ୟ ସହିତ ଜଡିତ ସମାଜର ବଞ୍ଚିତ ବର୍ଗକୁ ମୁଖ୍ୟଧାରାରେ ଯୋଡ଼ିବାରେ ଏବଂ ସେମାନଙ୍କର ସାମାଜିକ ଏବଂ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ତେବେ କହିରଖୁଛୁ, ବିହାର ବିଧାନସଭାର ବର୍ତ୍ତମାନର କାର୍ଯ୍ୟକାଳ ୨୨ ନଭେମ୍ବର ୨୦୨୫ ରେ ଶେଷ ହେଉଛି। ଏହି ତାରିଖ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଦ୍ୱାରା ନିର୍ବାଚନ ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ। ନିର୍ବାଚନ ଅକ୍ଟୋବର କିମ୍ବା ନଭେମ୍ବର ୨୦୨୫ ରେ ହେବାର ସମ୍ଭାବନା ଅଛି। ନିର୍ବାଚନ ଦୁଇ କିମ୍ବା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇପାରେ। ଏପର୍ଯ୍ୟନ୍ତ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବରେ ତାରିଖ ଘୋଷଣା କରିନାହାଁନ୍ତି। ଆଶା କରାଯାଉଛି ଯେ ଦୀପାବଳି ଏବଂ ଛତ ଭଳି ପର୍ବକୁ ଧ୍ୟାନରେ ରଖି ତାରିଖ ସ୍ଥିର କରାଯିବ।

Comments are closed.