Latest Odisha News

BREAKING NEWS

ବିହାର ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି ଦେଇଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନର ବିନ୍ଧାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିହାରରେ ଏନ୍‌ଡିଏ ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସୁଥିବା ହେତୁ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ ଦିଆଯାଇଛି। ଶହ ଶହ ବିଜେପି କର୍ମୀ ଓ ନେତା ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ପାରମ୍ପରିକ ନୃତ୍ୟବାଦ୍ୟରେ ତାଙ୍କୁ ସ୍ବାଗତ କରିଛନ୍ତି ଦଳୀୟ ନେତା।

ବିହାର ବିଜୟକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି, ବିହାର ବିଜୟ ମୋଦିଙ୍କ ନେତୃତ୍ବକୁ ବଡ଼ ସ୍ବୀକୃତି ଦେଇଛି। ବିହାରରେ ଲଗାତାର ୨୦ ବର୍ଷ ଶାସନ ପରେ ବି ପୁଣି ଥରେ ଏନ୍‌ଡିଏ ବିଜୟୀ ହୋଇଛି। ଏହି ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି ଦେଇଛି। ପୂରା ଦେଶରେ କଲ୍ୟାଣକାରୀ ଶାସନ ଚାଲିଥିବାରୁ NDA ଆସ୍ଥାଭାଜନ ହୋଇପାରିଛି। ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ନୂଆପଡ଼ାରେ ବିଜେପି ବିପୁଳ ଭୋଟ୍‌ରେ ବିଜୟୀ ହୋଇଛି, ଏହା ଅଦ୍ଭୁତପୂର୍ବ ବିଜୟ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୂଚନା ଥାଉକି ବିହାର ପ୍ରଭାରୀ ଦାୟିତ୍ବରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ। ବିହାର ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କର ଗଭୀର ଓ ପୁରୁଣା ସମ୍ପର୍କ ରହିଛି। ୨୦୧୨ରେ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ ଏଠାକାର ରାଜନୀତି ଏବଂ ବିଜେପି ସଂଗଠନ ସହିତ ଗଭୀର ଭାବରେ ଜଡିତ ଥିଲେ। ଏହି ସମୟ ମଧ୍ୟରେ ସେ ଦଳ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ ଏବଂ ସଂଗଠନକୁ ମଜବୁତ କରିବାରେ ସହଯୋଗ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ସର୍ବଦା ଦୃଢ଼ ରହିଛି। ଧର୍ମେନ୍ଦ୍ର ପ୍ରଧାନ ଓବିସି ସମ୍ପ୍ରଦାୟରୁ ଆସିଛନ୍ତି, ଯାହାକୁ ଦୀର୍ଘ ଦିନ ଧରି ନୀତୀଶ କୁମାରଙ୍କ ଅନ୍ୟତମ ମୁଖ୍ୟ ଭୋଟ୍ ବ୍ୟାଙ୍କ ଭାବରେ ବିବେଚନା କରାଯାଏ। ଏହି କାରଣରୁ ତାଙ୍କର ସାମାଜିକ ପୃଷ୍ଠଭୂମି ବିଜେପି ଓ ଜେଡିୟୁ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିଛି, ଯାହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ।

 

Comments are closed.