ପାଟନା: ଦେଶରେ ମହିଳା ଯେ କେତେ ଅସୁରକ୍ଷିତ ତାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ହୋମଗାର୍ଡ ପରୀକ୍ଷା ବେଳେ ଜଣେ ମହିଳା ଅଚେତ୍ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଆମ୍ବୁଲାନ୍ସରେ ହିଁ ଗଣଦୁଷ୍କର୍ମ କରାଯାଇଛି । କିଛି ଏଭଳି ନିନ୍ଦନୀୟ ଖବର ଆସିଛି, ବିହାରର ବୋଧଗୟାରୁ । ବୋଧଗୟା ପୋଲିସ ଷ୍ଟେସନ ଅଞ୍ଚଳର ବିଏମପି-୩ ପରେଡ୍ ଗ୍ରାଉଣ୍ଡରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଜଣେ ମହିଳାଙ୍କୁ ହସ୍ପିଟାଲକୁ ନେବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ୍ ବଳାତ୍କାର କରିଛନ୍ତି ।
ଘଟଣାଟି ଜୁଲାଇ ୨୪ ତାରିଖ ବୁଧବାର ଘଟିଥିଲା । ମହିଳା ରାଜ୍ୟର ହୋମଗାର୍ଡ ଦୌଡ଼ ସମୟରେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ତାଙ୍କୁ ଘଟଣାସ୍ଥଳରେ ନିୟୋଜିତ ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଏଥିରେ ମହଜୁଦ୍ ଥିବା ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ୍ ତାଙ୍କୁ ଗଣଶଦୁଷ୍କର୍ମ କରିଥିଲେ । ସିନିୟର ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ (ଏସଏସପି) ଆନନ୍ଦ କୁମାରଙ୍କ ପ୍ରେସ୍ ରିଲିଜ୍ ଅନୁଯାୟୀ, ମହିଳା ପ୍ରାର୍ଥୀ ପୋଲିସକୁ ଦୁଷ୍କର୍ମ ବିଷୟରେ ଜଣାଇଥିଲେ । ତାଙ୍କ ଅଭିଯୋଗ ଆଧାରରେ, ଆମ୍ବୁଲାନ୍ସ ଡ୍ରାଇଭର ବିନୟ କୁମାର ଏବଂ ଟେକ୍ନିସିଆନ୍ ଅଜିତ କୁମାରଙ୍କୁ ଦୁଇ ଘଣ୍ଟା ମଧ୍ୟରେ ଗିରଫ କରାଯାଇଥିଲା। ଏଥିସହିତ ମାମଲା ପରିଚାଳନା ପାଇଁ ବୋଧଗୟା ଏସଡିପିଓ ସୌରଭ ଜୟସୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଥିଲା। ପ୍ରମାଣ ସଂଗ୍ରହ ପାଇଁ ଏକ ଫୋରେନସିକ୍ ଦଳ ପଠାଯାଇଥିଲା ଏବଂ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିଥିଲା। ବୋଧଗୟା ପୋଲିସ ଷ୍ଟେସନରେ ଏକ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ଦାଖଲ କରାଯାଇଛି ଏବଂ ତଦନ୍ତ ଚାଲିଛି । ଏସଏସପି ଆନନ୍ଦ କୁମାର କହିଛନ୍ତି ଯେ ତଦନ୍ତ ଶୀଘ୍ର ସମାପ୍ତ ହେବ, ଖୁବ୍ ଶୀଘ୍ର ଏକ ଚାର୍ଜସିଟ୍ ଦାଖଲ କରାଯିବ ଏବଂ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଫାଷ୍ଟ-ଟ୍ରାକ୍ ବିଚାର ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ ।
ତେବେ ପୀଡିତାଙ୍କ ଏଭଳି ଅବଓ୍ତାର ଫଇଦା ଉଠାଇବା ଘଟଣା ଏବେ ଚାରିଆଡେ ନିନ୍ଦାର ପାତ୍ର ହୋଇଛି ଏବଂ ପୁଣି ଥରେ ଦେଶର ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।
Comments are closed.