ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ମାଓ ହମଲା ପରେ ନିଖୋଜ ଥିବା ଜଣେ ଯବାନଙ୍କୁ ବନ୍ଦୀ କରିଥିବା କହିଛି ମାଓ ସଂଗଠନ । ଏଥିସହ ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓ ସଂଗଠନ ମଧ୍ୟସ୍ଥିଙ୍କ ଜରିଆରେ ବନ୍ଦୀ ଯବନଙ୍କୁ ପୋଲିସ ପାଖରେ ଛାଡ଼ିବ ବୋଲି କହିଛି । ଦଣ୍ଡକାରଣ୍ୟ ସ୍ପେସିଆଲ ଜୋନାଲ ମାଓ କମିଟିର ପ୍ରବକ୍ତା ବିକଳ୍ପ ଆଜି ଦୁଇ ପୃଷ୍ଠାର ଚିଠି ଜାରି କରି ଏମିତି ବାର୍ତ୍ତା ଦେଇଛନ୍ତି ।
ଟେକେଲଗୁଡା(ଜିରାମଡଙ୍ଗ) ଗାଁରେ ମାଓବାଦୀ ଥିବା ସନ୍ଦେହ କରି ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ନେତୃତ୍ୱରେ ଯବାନ ଅପରେସନ୍ କରିଥିଲେ । ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୪ ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି । ଜଣେ ଯବାନ ମାଓବାଦୀଙ୍କ କବଜାରେ ଥିବା ମାଓ ସଂଗଠନ ପକ୍ଷରୁ କୁହାଯାଇଛି ।
ଏଥିସହ ୨୦୨୦ ମସିହାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବୈଠକ ପରେ ଛତିଶଗଡ଼ ପୋଲିସ ପକ୍ଷରୁ ସୈନିକ ଅଭିଯାନ ଲଞ୍ଚ କରାଯାଇ ୧୫୦ ନିରୀହ ଲୋକଙ୍କୁ ମାଓବାଦୀ ଦର୍ଶାଇ ହତ୍ୟା କରାଯାଇଥିବା ନକ୍ସଲ ଅଭିଯୋଗ କରିଛନ୍ତି । ବସ୍ତର ଅଞ୍ଚଳରେ ବିଦ୍ୟାଳୟ, ହସ୍ପିଟାଲ ଓ ସଡ଼କ ନିର୍ମାଣ ନାଁରେ ସାଧାରଣ ଲୋକଙ୍କୁ ମାଓବାଦୀ ଦର୍ଶାଇ ଗିରଫ କରାଯାଇ ଜେଲ ପଠା ଯାଉଛି । ଏହାକୁ ବିରୋଧ କରି ମାଓ ସଂଗଠନ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିଥିବା କହିଛି ।
ଏହି ଆକ୍ରମଣରେ ମାଓ ସଂଗଠନର ୪ ଜଣ କମ୍ରେଡଙ୍କ ମୃତ୍ୟୁ ହୋଇଥିବା ବେଳେ କମ୍ରେଡ୍ ଅଡ଼ି ସୋନିଙ୍କ ମୃତଦେହକୁ ପୋଲିସ ନେଇ ଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି । ଏନକାଉଣ୍ଟର ପରେ ୧୪ଟି ଅତ୍ୟାଧୁନିକ ବନ୍ଧୁକ ଓ ୨ ହଜାରରୁ ଅଧିକ ଗୁଳି ମାଓ ସଂଗଠନ ସଂଗ୍ରହ କରିଛି । ନକ୍ସଲଙ୍କ ପାଖରେ ଥିବା ଯବାନ ସୁରକ୍ଷିତ ଥିବାବେଳେ ସରକାର ଜଣେ ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓ ସଂଗଠନ ବନ୍ଦୀ ଯବାନଙ୍କୁ ପୋଲିସ ପାଖରେ ଛାଡ଼ିଦେବ ବୋଲି ଚିଠିରେ ମାଓନେତା ଉଲ୍ଲେଖ କରିଛନ୍ତି ।
Comments are closed.