Latest Odisha News

BREAKING NEWS

ବିଜେପୁର ଉପ-ନିର୍ବାଚନ: ହ୍ୱିଲ୍-ଚେୟାରରେ ଆସି ମତଦାନ କଲେ ଶତାୟୁ !

ବରଗଡ଼: ଓଡ଼ିଶାର ବିଜେପୁର ବିଧାନସଭା ଆସନ ଲାଗି ସୋମବାର ଦିନ ଶାନ୍ତି ଶୃଙ୍ଖଳାର ସହିତ ଭୋଟଗ୍ରହଣ ଚାଲିଛି । ସମଗ୍ର ନିର୍ବାଚନ ମଣ୍ଡଳୀରେ କଡ଼ା ପୋଲିସ ସୁରକ୍ଷା ସହିତ ଭୋଟର୍ ମାନେ ସକାଳୁ ସକାଳୁ ମତଦାନ ସାବ୍ୟସ୍ତ କରିବାରେ ଲାଗିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନାନୁଯାୟୀ ସକାଳ ୯ଟା ସୁଦ୍ଧା ନିର୍ବାଚନ ମଣ୍ଡଳୀରେ ୧୧ ପ୍ରତିଶତ ମତଦାନ ଅନୁଷ୍ଠିତ ହୋଇଛି ।

ସବୁଠାରୁ ବଡ଼କଥା ହେଲା ସୋମବାର ଦିନ ଅଧିକ ଗରମ ଏବଂ ଖରାରୁ ବର୍ତ୍ତିବା ଲାଗି ସକାଳୁ ଭୋଟଦାନ କରିବାକୁ ଅଧିକାଂଶ ମହିଳା ଭୋଟର୍ ଉଚିତ ମନେ କରି ମତଦାନ ସାବ୍ୟସ୍ତ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ବରପାଲି ବ୍ଲକ ଅନ୍ତର୍ଗତ ଅଗଲପୁର ପୋଲିଂ ଷ୍ଟେସନରେ ଲୋଚନା ନାୟକ ନାମକ ଜଣେ ୧୦୦ ବର୍ଷର ବୃଦ୍ଧା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ଶତାୟୁ ଜଣକ ହ୍ୱିଲ୍ ଚେୟାର୍ ଉପରେ ବସି ମତଦାନ କେନ୍ଦ୍ରକୁ ଆସିଥିଲେ । ତାଙ୍କୁ ସେଠାରେ ଉପସ୍ଥିତ ରହିଥିବା ସ୍ୱେଚ୍ଛାସେବୀ ସଂଗଠନ ତଥା ସ୍କାଉଟ ଓ ଗାଇଡ଼ ପ୍ରତିନିଧିମାନେ ପୋଲିସଙ୍କ ସହଯୋଗରେ ମତଦାନ କେନ୍ଦ୍ରକୁ ସୁବିଧାରେ ନେଇଯାଇଥିଲେ । ଏହି ଶତାୟୁଙ୍କ ଭୋଟଦାନ ଫଳରେ ଅନେକ ଭୋଟରଙ୍କ ମଧ୍ୟରେ ଭୋଟଦେବାକୁ ଉତ୍ସାହ ମଧ୍ୟ ଜାଗୃତ ହେବାରେ ଲାଗିଛି ।

ଆଜି ସକାଳୁ ସକାଳୁ ପ୍ରବଳ ଖରାକୁ ଭୃକ୍ଷେପ ନ’କରି ଅନେକ ଭିନ୍ନକ୍ଷମ ତଥା ବୟସ୍କ ବ୍ୟକ୍ତିମାନେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ବିଜେପୁର ବିଧାନସଭା ଉପ-ନିର୍ବାଚନ ଲାଗି ସମୁଦାୟ ଭୋଟର ୨ ଲକ୍ଷ ୩୨ ହଜାର ୨୬୪ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ନିର୍ବାଚନ ମଣ୍ଡଳୀରେ ମୋଟ ୨୮୫ଟି ଭୋଟଗ୍ରହଣ କେନ୍ଦ୍ରରେ ଭୋଟର୍ ମାନେ ଭୋଟଦାନ କରୁଛନ୍ତି । ସମୁଦାୟ ଭୋଟରଙ୍କ ମଧ୍ୟରୁ ମହିଳା ଭୋଟର୍ ହେଳେ ୧ ଲକ୍ଷ ୧୨ ହଜାର ୧୧୪ ଏବଂ ପୁରୁଷ ଭୋଟର୍ ହେଲେ ୧ ଲକ୍ଷ ୨୦ ହଜାର ୧୩୫ ଜଣ । ତେବେ ୧୫ ଜଣ ହେଉଛନ୍ତି ତୃତୀୟଲିଙ୍ଗି ଭୋଟର୍ ।

ଏଠାରେ ଉଲ୍ଲେଖଯୋଗ୍ୟ ଏହି ଉପ-ନିର୍ବାଚନରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ରୀତା ସାହୁ, ଭାରତୀୟ ଜନତା ପାର୍ଟି ପକ୍ଷରୁ ସନତ୍ ଗଡ଼ତିଆ ଏବଂ ଜାତୀୟ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢୁଛନ୍ତି ।

ଆସନ୍ତା ୨୪ ତାରିଖରେ ଭୋଟ ଗଣତି ହେବାପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଫଳାଫଳ ଘୋଷିତ ହେବ ।

Comments are closed.