Latest Odisha News

ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ଦିନ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତ ଯୁବକ ଜଣଙ୍କ ଶ୍ରୀବନ୍ତପୁର ଅଞ୍ଚଳର ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପୁଅ ଶ୍ୟାମସୁନ୍ଦର ସ୍ବାଇଁ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀବନ୍ତପୁର ଗ୍ରାମ ନିକଟ ନଦୀ ବନ୍ଧରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶ୍ୟାମସୁନ୍ଦର ପଡ଼ିଥିଲେ । ସୋମବାର ସକାଳୁ କିଛି ଗାଁ ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି ପରିବାର ଲୋକଙ୍କ ସହ ଯାଜପୁର ରୋଡ଼ ମେଡିକାଲକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ଜଣେ ଟ୍ରାକ୍ଟର ଚାଳକ ଭାବେ କାମ କରନ୍ତି । କିଛି ବକେୟା ପଇସାକୁ ନେଇ ସ୍ଥାନୀୟ ଏକ ଆଦିବାସୀ ଦମ୍ପତ୍ତିଙ୍କ ସହ ଶ୍ୟାମସୁନ୍ଦରଙ୍କର ପୂର୍ବରୁ ଶତୃତା ରହିଥିଲା।

ତେବେ ଏହାକୁ କେନ୍ଦ୍ରକରି ଉକ୍ତ ଦମ୍ପତ୍ତି ଶ୍ୟାମସୁନ୍ଦର କୁ ପିଟିପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ କୁଆଖିଆ ପୋଲିସ ମେଡିକାଲରେ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.