Latest Odisha News

BREAKING NEWS

ବିଜୁ ପଟ୍ଟନାୟକ…କେବଳ ନାଁ ନୁହେଁ ବ୍ରାଣ୍ଡ

ଭୁବନେଶ୍ବର: ରାଜ୍ୟ ପାଳିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏବେ ରାଜ୍ୟ ରାଜନୀତିରେ ବିଜୁବାବୁ କେବଳ ନାଁ ନୁହେଁ ଏକ ବ୍ରାଣ୍ଡ। ତାଙ୍କ ଉପସ୍ଥିତିଠୁ ଅଧିକ ଅନୁପସ୍ଥିତିରେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛନ୍ତି ବିଜୁ ପଟ୍ଟନାୟକ । ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ୨୪ବର୍ଷ ଧରି ଓଡିଶାରେ କ୍ଷମତାରେ ରହିଲା । ଏବେ ସରକାରରେ ନଥିଲେ ବି ବିଜୁବାବୁଙ୍କ ସହ ଜଡିତ ରହିଛି ଓଡିଆଙ୍କ ଇମୋସନ୍ । ସେଥିପାଇଁ ସରକାରୀ ଯୋଜନାରୁ ବିଜୁ ନାଁ ହଟିଲେ କି କେହି ଦୁର୍ବୃତ୍ତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଲେ, ପ୍ରତିକ୍ରିୟାଶୀଳ ହେଉଛି ଓଡିଆ । ରାଜ୍ୟ ବିଜୁବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳନ କରୁଥିଲେ ବି, ରାଜ୍ୟ ରାଜନୀତିରେ ଏବେବି ବ୍ରାଣ୍ଡ ବିଜୁବାବୁଙ୍କ ଚାହିଦା ଆଗ ଭଳି ରହିଛି ।

ବିଜୁବାବୁ ଓ ଓଡିଆ ଇମୋସନ୍

ଓଡିଶା ଜନତାଙ୍କ ସମବେଦନା ସହ ଓତଃପ୍ରୋତ ଭାବେ ଜଡିତ ରହିଛନ୍ତି ବିଜୁ ପଟ୍ଟନାୟକ । ଆଉ ସେଥିପାଇଁ ତାଙ୍କ ତିରୋଧାନର ୨୮ବର୍ଷ ପରେ ବି ବିଜୁବାବୁ ଓଡିଶା ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିଛନ୍ତି । ବିଜୁବାବୁଙ୍କ ପ୍ରତି ଓଡିଆଙ୍କର ରହିଛି ଶ୍ରଦ୍ଧା ଓ ଭଲ ପାଇବା । ରାଜ୍ୟରେ କ୍ଷମତା ପରିବର୍ତ୍ତନ ସହ ବିଜେପି ସରକାର ଆସିଛି । ନୂଆ ସରକାର ବିଜୁବାବୁଙ୍କ ନାଁରେ ଥିବା ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି ବିଜୁ ସେତୁ ଯୋଜନା, ବିଜୁବାବୁଙ୍କ ନାଁକୁ ବାଦ୍ ଦିଆଯାଇଛି । ସେହିପରି ରାଜ୍ୟ ପଞ୍ଚାୟତିରାଜ ଦିବସକୁ ପରିବର୍ତ୍ତନ କରିବା ସହ ସରକାରୀ ଛୁଟି ବାତିଲ୍ କରାଯାଇଛି । ଏହାକୁ କେବଳ ବିଜେଡି ନୁହେଁ ରାଜ୍ୟବାସୀ ବି ପସନ୍ଦ କରିନାହାନ୍ତି । ଓଡିଆ ଅସ୍ମିତା କଥା କହୁଥିବା ବିଜେପି ସରକାରର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ବା ପୋଡ଼ିବା ପରି ଘଟଣାକୁ ନେଇ ବି ସାଧାରଣରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି ।

ଜୀବନ କାଳରେ କମ୍ ଅବର୍ତ୍ତମାନରେ ବେଶୀ

ବିଜୁବାବୁଙ୍କୁ ଓଡିଆ ଅସ୍ମିତାର ପ୍ରତୀକ ଭାବେ ଦେଖାଯାଏ । ତାଙ୍କ ସାହାସିକତାର କାହାଣୀ ଶୁଣାଯାଏ । ତେବେ ୫୦ବର୍ଷର ରାଜନୈତିକ ଜୀବନରେ ସେଭଳି ସଫଳତା ପାଇନଥିଲେ ବିଜୁବାବୁ। ମୁଖ୍ୟମନ୍ତ୍ରୀ ପଦରେ ୭ବର୍ଷରୁ ଅଧିକ ଓ କେନ୍ଦ୍ରମନ୍ତ୍ରୀ ଭାବେ ଅଢେଇ ବର୍ଷ କ୍ଷମତାରେ ରହିଥିଲେ । ତେବେ ବିଜୁବାବୁଙ୍କ ଅବର୍ତ୍ତମାନରେ ରାଜ୍ୟ ରାଜନୀତି ଉପରେ ତାଙ୍କର ଅବିଶ୍ବସନୀୟ ପ୍ରଭାବ ଦେଖିବାକୁ ମିଳିଛି। ଦେଶ କିମ୍ବା ରାଜ୍ୟରେ ତାଙ୍କ ସମସାମୟିକ କୌଣସି ନେତାଙ୍କର ଏଭଳି ପ୍ରଭାବ ଦେଖିବାକୁ ମିଳେନି । ତାଙ୍କ ନାଁରେ ୧୯୯୭ ମସିହା ଡିସେମ୍ବରରେ ଗଠିତ ବିଜେଡି ରାଜ୍ୟରେ ୨୪ବର୍ଷ ଶାସନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରହିଥିଲେ ପୁଅ ନବୀନ ପଟ୍ଟନାୟକ ।

ବିଜୁଙ୍କ ପରେ ନବୀନ ଯୁଗ

ବିଜୁବାବୁ ଚାହୁଁନଥିଲେ ତାଙ୍କ ପରିବାରରୁ କେହି ରାଜନୀତିକୁ ଆସନ୍ତୁ । ସେଥିପାଇଁ ନା ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ ନା ପୁଅମାନେ ରାଜନୀତି ସହ କେହି ସଂପୃକ୍ତ ନଥିଲେ । ହେଲେ ବିଜୁବାବୁଙ୍କ ପରଲୋକ ପରେ ଓଡିଶାରେ ଆରମ୍ଭ ହୋଇଥିବା ନବୀନ ଯୁଗ। ରାଜନୀତିଠାରୁ ଦୂରରେ ରହିଥିବା ନବୀନ ପଟ୍ଟନାୟକ ୧୯୯୭ ମସିହାରେ ଆସିକା ଲୋକସଭାରୁ ଉପନିର୍ବାଚନ ଜିତିଲେ । ଆଉ ସେବେଠାରୁ ଆରମ୍ଭ ହେଲା ବିଜେଡିରୁ ବିଜୟଯାତ୍ରା । ବିଜୁବାବୁଙ୍କ ନାଁରେ ଆରମ୍ଭ ହୋଇଥିବା ଆଞ୍ଚଳିକ ଦଳ ବିଜେଡି, ଓଡିଶା ରାଜନୀତିରେ ୨୦୨୪ ପର୍ଯ୍ୟନ୍ତ ଅପରାଜେୟ ପାଲଟିଲା । ବିଜୁବାବୁ ଜୀବୀତ ଥିବା ବେଳେ ଯେଉଁ ରାଜନୈତିକ ସଫଳତା ପାଇନଥିଲେ, ତାକୁ ସତ କରି ଦେଖାଇଲେ ନବୀନ ।

୨୪ବର୍ଷ ଧରି ଶାସନରେ ରହିବା ପରେ ବିଜେଡି ପ୍ରଥମ ଥର ପାଇଁ ବିରୋଧୀ ଦଳରେ ବସିଛି । ହେଲେ ଏବେବି ଓଡିଶାବାସୀଙ୍କ ହୃଦୟରେ ରହିଛନ୍ତି ବିଜୁ ବାବୁ । ତିରୋଧାନର ୨୮ବର୍ଷ ପରେ ବି ତାଙ୍କ ନାଁ କିମ୍ବା ପ୍ରତିମୂର୍ତ୍ତିକୁ ଅସମ୍ମାନ ହେଲେ, ପ୍ରତିକ୍ରିୟାଶୀଳ ହେଉଛନ୍ତି ଓଡିଆ । ଏହା ହିଁ ବିଜୁବାବୁଙ୍କ ପ୍ରତି ଓଡିଶାବାସୀଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ।

Comments are closed.