Latest Odisha News

BREAKING NEWS

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମିଳିଲା ନୂଆ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାଓ୍ୱାର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମିଳିଛି ନୂଆ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାଓ୍ୱାର। ୪୪.୨ ମିଟର ଉଚ୍ଚତା ବିଶିଷ୍ଟ ଏହି ଏଟିସି ଟାଓ୍ୱାରଙ୍କୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ (ଭେଲ୍) ସହଯୋଗରେ ନିର୍ମାଣ କରିଛି।

ନୂଆ ଏଟିସିର କଣ୍ଟ୍ରୋଲ ରୁମରେ ବିମାନ ଅବତରଣ ଓ ଉଡ଼ାଣରେ ତ୍ରୁଟିଶୂନ୍ୟତା ପାଇଁ ସମସ୍ତ ଅତ୍ୟାଧୁନିକ ଉପକରଣ ରହିଛି।

ସୂଚନା ମୁତାବକ, ନୂଆ ଟାଓ୍ୱାରର ଟ୍ରାଏଲ ମାସେ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଉଭୟ ନୂଆ ଓ ପୁରୁଣା ଏଟିସି ଟାଓ୍ୱାର ଏକା ସାଙ୍ଗରେ କାମ କରିବ। ସବୁକିଛି ଠିକଠାକ୍ ରହିଲେ ଟ୍ରାଏଲ୍ ରନ ପରେ ନୂଆ ଏଟିସି ଟାଓ୍ୱାରକୁ ଅପରେସନ୍ ସ୍ଥାନାନ୍ତର କରାଯିବ।

ଟାଓ୍ୱାରର ଦ୍ୱିତୀୟ ମହଲାରେ ଏରିଆ ଓ ଆପ୍ରୋଚ କଣ୍ଟ୍ରୋଲ ରୁମ ରହିଛି। ଏହି ନୂଆ ଟାଓ୍ୱାରରେ ଆଣ୍ଟି ହାଇଜାକିଂ ଅପରେସନ ରୁମ୍ ମଧ୍ୟ ରହିଛି ଯାହା ବିମାନ ଅପହରଣ ହେଲେ ବ୍ୟବହାର କରାଯିବ।

ନୂଆ ଟାଓ୍ୱାର ସମ୍ପର୍କରେ ବିପିଆଇଏ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ନୂଆ ଟାଓ୍ୱାରରେ ଏଟିସି ଅଟୋମେଶନ ସିଷ୍ଟମ ରହିଛି। ଏହାର ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଅଗଷ୍ଟ ୨୪ରୁ ଆମେ ଉଭୟ ଟାଓ୍ୱାରର ଏକକାଳୀନ କାମ ଆରମ୍ଭ କରିଛୁ।

ଏହା ଦେଶର ସବୁଠାରୁ ଉଚ୍ଚ ଏଟିସି ଟାଓ୍ୱାର ମଧ୍ୟରୁ ଅନ୍ୟତମ। ଏଠାରେ ଲୋୟର ଏରିଆ କଣ୍ଟ୍ରୋଲ ସେଣ୍ଟର, ଆପ୍ରୋଚ ସେଣ୍ଟର ଓ ଟାଓ୍ୱାର କଣ୍ଟ୍ରୋଲ ରହିଛି। ଏଥିରେ ସର୍ଫେସ ମୁଭମେଣ୍ଟ କଣ୍ଟ୍ରୋଲ ଗାଇଡେନ୍ସ ସିଷ୍ଟମ ନାମରେ ଏକ ନୂଆ ସିଷ୍ଟମ ମଧ୍ୟ ରହିଛି ଯାହା ଶୂନ୍ୟ ଦୃଶ୍ୟତା ପରିସ୍ଥିତିରେ ମଧ୍ୟ ବିମାନକୁ ଟ୍ରାକ କରିବାରେ ସହାୟକ ହେବ ବୋଲି ପ୍ରସନ୍ନ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.