Latest Odisha News

BREAKING NEWS

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ଭରସା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା : ସୁନ୍ଦରଗଡ଼ର ହିତାଧିକାରୀଙ୍କ ମୁହଁରେ ଫୁଟିଲା ହସ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାର୍ଟ ବଣ୍ଟନ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କ ୧୦ ଲକ୍ଷ ଟଙ୍କାର ମିଳିବ ଚିକିତ୍ସା ସୁବିଧା । ଯାହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କ ମୁହଁରେ ଫୁଟିଛି ହସ । ଏହି କାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସୋରଡ଼ା ଗ୍ରାମର ରୁବି ଖାତୁନ୍ ।

କାର୍ଡ ପାଇବା ପରେ ସେ କହିଛନ୍ତି, ରାଉରକେଲାରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ହାତରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ପାଇଛି । ଏହା ମୋ’ ପାଇଁ ବଡ଼ ସୌଭାଗ୍ୟର କଥା । ଏହି କାର୍ଡ ଦେଖାଇ ଏଣିକି ବଡ଼ ବଡ଼ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳିପାରିବ । ପରିବାରର ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଏବଂ ଅନ୍ୟମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁବିଧା ରହିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରୁବି ଖାତୁନଙ୍କ ସ୍ବାମୀ ବୃତ୍ତିରେ ଜଣେ ଡ୍ରାଇଭର । ତାଙ୍କର ଦୁଇଟି ଝିଅ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କ ପରିବାରର ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା କ୍ଷେତ୍ରରେ ଏକ ବଡ଼ ଯୋଗଦାନ ଦେବ ବୋଲି ରୁବିଙ୍କ ସ୍ୱାମୀ ସାଜିଦ୍ ଅନସାରୀ କହିଛନ୍ତି । ତେଣୁ ଏହି କାର୍ଡ ପାଇବା ପରେ ତାଙ୍କ ପରିବାରକୁ ମିଳିଛି ଏକ ବଡ଼ ଭରସା ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍ ଅଣ୍ଡାଲି ଗ୍ରାମ ପଞ୍ଚାୟତର ହିତାଧିକାରୀ ମୀନା ଲାକ୍ରା କହିଛନ୍ତି, ଘର ଚଳାଇବା ଲାଗି ସ୍ବାମୀଙ୍କ ସହିତ ମୁଁ ମୁମ୍ବାଇରେ କାମ କରୁଥିଲି । ହେଲେ ହଠାତ୍ ମୋର ଦେହ ଖରାପ ହୋଇଗଲା । ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ବୋଲି ଡାକ୍ତର କହିବାରୁ ଆମକୁ କିଛି ବୁଦ୍ଧି ବାଟ ଦେଖାଗଲାନି । ଶେଷରେ ଧାର କରଜ କରି ମୁଁ ହସ୍ପିଟାଲରେ ଚିକିତ୍ସା କଲି । ହେଲେ ଏବେ ଦେହ ଖରାପ ହେଲେ ବଡ଼ ଡାକ୍ତରଖାନା ଯିବାକୁ ଆଉ ଚିନ୍ତା ନାହିଁ । କିନ୍ତୁ ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମୀନା ଲାକ୍ରାଙ୍କ ପରିବାର ପାଇଁ ମଧ୍ୟ ଏକ ବଡ଼ ସାହସ ହୋଇ ଛିଡ଼ା ହୋଇଛି ।

ରୁବି ଖାତୁନ୍ ଓ ମୀନା ଲାକ୍ରାଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ହିତାଧିକାରୀ ପରିବାରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଯୋଜନାରେ ଜିଲ୍ଲାର ୪ ଲକ୍ଷ ୩୭ ହଜାର ହିତାଧିକାରୀଙ୍କୁ ଏହି ସ୍ବାସ୍ଥ୍ୟ କାର୍ଡ ମିଳିବ । ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବା ପାଇଁ ରାଉରକେଲା ସହିତ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ୍ ଏବଂ ୩ଟି ପୌରପାଳିକାରେ ୫୪୦ରୁ ଅଧିକ କେନ୍ଦ୍ର କରାଯାଇଛି ।

ଲୋକଙ୍କ ସୁବିଧା ପାଇଁ ଏହି ସବୁ କେନ୍ଦ୍ର ପଞ୍ଚାୟତସ୍ତରରେ ଖୋଲାଯାଇଛି । ଜିଲ୍ଲା ଏବଂ ବ୍ଲକସ୍ତରର ବରିଷ୍ଠ ଅଧିକାରୀମାନେ ତୃଣମୂଳସ୍ତରରେ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଅନୁଧ୍ୟାନ କରୁଛନ୍ତି । ଏହି କାର୍ଡରେ ମିଳୁଥିବା ଚିକିତ୍ସା ସୁବିଧା ସମ୍ପର୍କରେ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଛି । ମାଲକାନଗିରିରେ ଗତ ଅଗଷ୍ଟ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ପରେ ଦ୍ୱିତୀୟ ଜିଲ୍ଲା ଭାବେ ଗତ ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କ ପାଇଁ ଏହି ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ରାଉରକେଲା ସହରର ହିତାଧିକାରୀମାନଙ୍କୁ କାର୍ଡ ପ୍ରଦାନ କରିବା ପାଇଁ ବିଭିନ୍ନ ଅଞ୍ଚଳରେ କେନ୍ଦ୍ର କରାଯାଇଛି ।

ସେହିପରି ସେକ୍ଟର-୨୦ର ବାସିନ୍ଦା ରତ୍ନୀ କୁମ୍ଭାରଙ୍କ ପରିବାରକୁ ମିଳିଛି ନୂଆ ଭରସା । ସେ କହିଛନ୍ତି ଯେ, ସ୍ବାମୀ ଚାଲିଗଲା ପରେ ମୁଁ ବହୁତ ଅସୁବିଧାରେ ଚଳୁଥିଲି । ପିଲାମାନଙ୍କର ଦେହ ଖରାପ ହେଲେ ଭଲ ଡାକ୍ତର ଦେଖାଇ ପାରୁନଥିଲି । ହେଲେ ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ଦେଖାଇ ମୁଁ ପିଲାମାନଙ୍କର ଚିକିତ୍ସା କରିପାରିବି ବୋଲି କହିଛନ୍ତି ରତ୍ନୀ କୁମ୍ଭାର ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ବିଶେଷ ଫାଇଦା ମିଳିବ । ଏହା ଫଳରେ ରାଜ୍ୟର ପ୍ରାୟ ସାଢେ ୩ କୋଟି ଲୋକ ସ୍ୱାସ୍ଥ୍ୟ ସୁବିଧା ପାଇ ପାରିବେ । ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍‌ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଆଧୁନିକ ଚିକିତ୍ସା କରିପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡଧାରୀଙ୍କ ସହ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଡଧାରୀମାନେ ଏହି ଚିକିତ୍ସା ସହାୟତା ପାଇପାରିବେ ।

Comments are closed.