ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଶାସ୍ତ୍ରୀ ନଗର ଛକରେ ଏକ ମର୍ସିଡିଜ୍-ବେଞ୍ଜ୍ ଏକ ବାଇକକୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା ବାଇକ୍। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ରିପୋର୍ଟ ଅନୁଯାୟୀ, ମୃତକଙ୍କ ନାମ ଦେବୀ ପ୍ରସାଦ ରାଉତରାୟ ଏବଂ ସେ ନୟାପଲ୍ଲୀର ବାସିନ୍ଦା।
ଦୁର୍ଘଟଣା ପରେ ପୋଲିସ ମର୍ସିଡିଜରେ ଥିବା ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କୁ ଅଟକ ରଖିଛି। ତଦନ୍ତର ଅଂଶ ସ୍ୱରୂପ ଖାରବେଳ ନଗର ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି।
ଏହି ମରଣାତ୍ମକ ଦୁର୍ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ମର୍ସିଡିଜ୍କୁ ଭଙ୍ଗାରୁଜା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ନାକେଦମ୍ ହୋଇଥିଲା।
ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ଖାରବେଳ ନଗର ପୋଲିସ ଏହି ଦୁର୍ଘଟଣାର ପ୍ରକୃତ ସ୍ଥିତି ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।