Latest Odisha News

ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲା, ଆତ୍ମସମର୍ପଣ କଲେ ସମସ୍ତ ଅଭିଯୁକ୍ତ

ଗୁଜୁରାଟ: ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଗୋଧ୍ରା ଉପ-କାରଗାରରେ ଗତକାଲି ଆତ୍ମସମର୍ପଣ କରିଛନ୍ତି ସମସ୍ତ ୧୧ ଅଭିଯୁକ୍ତ । ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଜଡିତ ୧୧ଜଣ ଅଭିଯୁକ୍ତଙ୍କୁ ଗୁଜରାଟ ସରକାର ଦୋଷମୁକ୍ତ କରିଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ସମସ୍ତ ଦୋଷୀଙ୍କୁ ଦୁଇ ସପ୍ତାହ ଭିତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । ମାତ୍ର ଅଭିଯୁକ୍ତମାନେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ ପାଇଁ ଅଧିକ ସମୟ ମାଗିଥିଲେ। ତେବେ ଗତ କାଲି ସମସ୍ତ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି।

ସୂଚନା ଅନୁସାରେ, ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଜାନୁଆରି ୮ ତାରିଖରେ ସୁପ୍ରିମ୍‌କୋର୍ଟ ରଦ୍ଦ କରି ଦେଇଥିଲେ । କିନ୍ତୁ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି କରିବା ଠିକ୍ ନୁହେଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଥିଲେ ଏବଂ ଗୁଜୁରାଟ ସରକାର ଦେଇଥିବା ଆଦେଶକୁ ରଦ୍ଦ କରିଥିଲେ । ଏଥିସହ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଦୋଷୀଙ୍କୁ ସରେଣ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୦୨, ମାର୍ଚ୍ଚ ୩ ତାରିଖରେ ଗୁଜରାଟର ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ପରେ ପରେ ରାଜ୍ୟରେ ଦଙ୍ଗା ବ୍ୟାପିଥିଲା । ଦଙ୍ଗାକାରୀମାନଙ୍କ ହାବୁଡ଼କରୁ ଖସି ପଳାଉଥିବା ବିଲ୍‌କିସ୍‌ ବାନୋଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିଲା ଏବଂ ସେ ୫ ମାସର ଗର୍ଭବତୀ ଥିଲେ । ଦଙ୍ଗାକାରୀମାନେ ତାଙ୍କ ସହିତ ଦୁଷ୍କର୍ମ କରିବା ସହିତ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ ।

 

 

 

Comments are closed.