Latest Odisha News

BREAKING NEWS

ରାମମୟ ଅଯୋଧ୍ୟା, ୫୦୦ବର୍ଷ ପରେ ଏକାଠି ହେବେ ଭକ୍ତ ଓ ଭଗବାନ

ଭୁବନେଶ୍ଵର: ୫୦୦ବର୍ଷର ବନବାସର ହେବ ଅନ୍ତ । ଏକାଠି ହେବେ ଭକ୍ତ ଭଗବାନ । ସାକାର ହେବାକୁ ଯାଉଛି ଶହ ଶହ ବର୍ଷର ସଂଘର୍ଷ ଓ ବଳିଦାନ । ସ୍ୱରୂପ ନେବାକୁ ଯାଉଛି ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ l ଆସୁଛନ୍ତି ଦଶରଥ ନନ୍ଦନ ପ୍ରଭୁ ଶ୍ରୀରାମ l ୫୦୦ ବର୍ଷର ପ୍ରତୀକ୍ଷା ପରେ ପୂରଣ ହେବାକୁ ଯାଉଛି ଲକ୍ଷ ଲକ୍ଷ ହିନ୍ଦୁଙ୍କ ସଂକଳ୍ପ l ରଘୁବରଙ୍କ ଅଯୋଧ୍ୟା ଆଗମନରେ ପୁଲକିତ ହୋଇଛି ଧରା l ଆଉ ବାସ୍ କିଛିଟା ମୁହୂର୍ତ୍ତର ଅପେକ୍ଷା । ତେବେ ଏହି ରାମ ମନ୍ଦିର ନିର୍ମାଣକୁ ନେଇ ରହିଛି ଏକ ବଡ ଇତିହାସ । ଇତିହାସ ସେହି ସମୟର ଯେତେବେଳେ ହିନ୍ଦୁ ମୁସଲିମଙ୍କ କଳହ ଥିଲା । ଇତିହାସ ସେହି ସମୟର ଯେତେବେଳେ ସେଠାରେ ବାବ୍ରି ମସଜିଦ ଏବଂ ରାମ ମନ୍ଦିରକୁ ନେଇ ଦେଶର ରାଜନୀତିରେ ଏକ ବଡ ଧରଣର ହଇଚଇ ସୃଷ୍ଟି ହୋଇଥିଲା । ସେହି ଇତିହାସର ପୃଷ୍ଟାକୁ ଖୋଲି ଦେଖଲେ ଆଜି ବି ମନେ ପଡେ ସେଇ ଶହ ଶହ ଲୋକଙ୍କ ବଳିଦାନ କଥା । ଆଉ ଯେତେବେଳେ ସେ କଥା ଆଖି ଆଗରେ ଭାସି ଉଠେ ଦେହରେ ଖେଳିଯାଏ ଏକ ଶିହରଣ । ସେତେବେଳର ଲୋକେ ହୁଏତ ଏସବୁ କୁ ଏବେ ସୁଦ୍ଧା ଭୁଲି ପାରିନଥିବେ । କିନ୍ତୁ ବର୍ତ୍ତମାନର ଯୁବପିଢି ହୁଏତ ସେ ଇତିହାସ ବିଷୟରେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ସେହି ପୁରୁଣା ଦିନର ଇତିହାସକୁ …

କୁହାଯାଏ ଅଯୋଧ୍ୟା ହେଉଛି ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ସ୍ଥାନ। ଏଣୁ ଅଯୋଧ୍ୟାର ଯେଉଁ କୋଣକୁ ଯିବେ ସେଠି ରାମନାମ ଶୁଣିବାକୁ ମିଳିବ। କିନ୍ତୁ ୧୫୦୦ ମସିହା ପରେ ରାମଜନ୍ମଭୂମି ବିବାଦକୁ ଆସିଥିଲା। ଅଯୋଧ୍ୟା ମୁଗଲ ଶାସକଙ୍କ ଅଧୀନକୁ ଚାଲି ଯାଇଥିଲା। ବାବର ନାମକ ମୁଗଲ ଶାସନ ଅଯୋଧ୍ୟାରେ ରାଜୁତି କରୁଥିବା ବେଳେ ରାମଜନ୍ମଭୂମିରେ ୧୫୨୮ରେ ସେ ମସଜିଦ ନିର୍ମାଣ କରିଥିବା କୁହାଗଲା। ଏହାକୁ ନେଇ ହିଁ ହିନ୍ଦୁ-ମସଲମାନଙ୍କ ଭିତରେ ବିବାଦ ବଢ଼ିଥିଲା। ୧୮୫୩ରେ ପ୍ରଥମଥର ପାଇଁ ଏହି ବିବାଦୀୟ ସ୍ଥଳକୁ ନେଇ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା। ବିବାଦ ବଢ଼ିବାରୁ ଏବଂ ସମାଧାନ ହୋଇ ନପାରିବାରୁ ୧୮୫୯ରେ ବ୍ରିଟିସ ଶାସକ ଏଠାରେ ପାଚେରୀ ନିର୍ମାଣ କରିଦେଲେ। ବିବାଦୀୟ ସ୍ଥଳର ଭିତରେ ମୁସଲମାନମାନଙ୍କୁ ଏବଂ ବାହାରେ ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦେଲେ । ବ୍ରିଟିଶ ଶାସକ ଯେଉଁ ଭାଗବଣ୍ଟା କଲେ ତାକୁ ନେଇ ବିବାଦ ବଢ଼ିଲା ପଛେ କମିଲା ନାହିଁ। ୧୯୪୯ରେ ମସଜିଦରୁ ମିଳିଲା ଭଗବାନଙ୍କ ରାମଙ୍କ ମୂର୍ତ୍ତି। କେତେଜଣ ହିନ୍ଦୁ ଏହି ମୂର୍ତ୍ତି ନେଇ ମସଜିଦରେ ରଖିଥିବା ମୁସଲମାନମାନେ ଅଭିଯୋଗ କରିଥିଲେ। ଏହାପରେ ଉଭୟ ପକ୍ଷ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସରକାର ଉକ୍ତ ସ୍ଥଳକୁ ବିବାଦୀୟ ଘୋଷଣା କରି ସେଠାରେ ତାଲା ପକାଇଦେଲେ।

ଏହି ବିବାଦୀୟ ସ୍ଥଳରେ ସରକାର ତାଲା ପକାଇ ଦେଇଥିଲେ ମଧ୍ୟ ବିବାଦ ଥମି ନଥିଲା। ଦିନ ଯେତିକି ଗଡୁଥିଲା ରାମ ସମର୍ଥକଙ୍କ ଭିତରେ ମନ୍ଦିର ନିର୍ମାଣର ଝୁଙ୍କ୍‌ ସେତିକି ବଢ଼ୁଥିଲା। ଶେଷରେ ଏହି ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଲା। ରାମ ମନ୍ଦିର ନିର୍ମାଣ ଲାଗି ୧୯୮୪ରେ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱରେ ଏକ ସମିତି ଗଠନ କରାଗଲା। ପରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏହାର ନେତୃତ୍ୱ ନେଇଥିଲେ।  ଶେଷରେ ୧୯୮୬ରେ ହିନ୍ଦୁମାନଙ୍କୁ ପ୍ରର୍ଥନା କରିବା ଲାଗି ଜିଲ୍ଲା ମାଜିଷ୍ଟ୍ରେଟ ବିବାଦୀୟ ମସଜିଦରୁ ତାଲା ଖୋଲିଥିଲେ। ଏହାକୁ ବିରୋଧ କରି ମୁସଲମାନଙ୍କ ପକ୍ଷରୁ ବାବ୍ରି ମସଜିଦ ସଂଘର୍ଷ ସମିତି ଗଠନ କରାଯାଇଥିଲା। ୧୯୯୦ରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ବ୍ରାବି ମସଜିଦର କିଛି ଅଂଶକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବିବାଦ ବଢ଼ିବାରୁ ଏହା ସଫଳ ହୋଇ ନଥିଲା। ବାବ୍ରି ମସ୍‌ଜିଦ୍‌ ଭାଙ୍ଗିବା ପାଇଁ ୧୯୮୪ରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହା ୧୯୯୨ ଡିସେମ୍ବର ୬ରେ ସଫଳ ହୋଇଥିଲା। ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଥିବା ରାମଙ୍କ କର ସେବକମାନଙ୍କୁ ଏକାଠି କରାଗଲା। ଯିଏ ଯେଉଁଠି ଥିଲେ ଟ୍ରେନ୍‌ ଏବଂ ବସ୍‌ରେ ଅଯୋଧ୍ୟା ଛୁଟିଲେ। ଏତେ ସଂଖ୍ୟାରେ କରସେବକମାନେ ଅଯୋଧ୍ୟା ଆସିଲେ ଯେ ପ୍ରଶାସନ ନିୟନ୍ତ୍ରଣ କରିବାରେ ଫେଲ୍ ମାରିଲା। ପ୍ରଶାସନ କିଛି ପଦକ୍ଷେପ ନେବା ପୂର୍ବରୁ ବାବ୍ରି ମସ୍‌ଜିଦ୍‌ ମାଟିରେ ମିଶି ଯାଇଥିଲା। ମସ୍‌ଜିଦ୍‌ ଭାଙ୍ଗିବା ପରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଦଙ୍ଗାରେ ଉଭୟ ପକ୍ଷରୁ ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

 

 

Leave A Reply

Your email address will not be published.