Latest Odisha News

BREAKING NEWS

ପଙ୍କରେ ପଦ୍ମ, ଚମକିଲେ ବଣ୍ଡା ଘାଟି ଝିଅ ବିନି

ମାଲକାନଗିରି: କୁହନ୍ତି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଇଚ୍ଛା ଶକ୍ତି ଆଗରେ ସବୁ କିଛି ସତେ ଯେମିତି ହାର ମାନିଥାଏ । ବାପା ହାଇସ୍କୁଲର ରୋଷେୟା ଓ ମାଆ ଜଣେ ଅଙ୍ଗନବାଡି କର୍ମୀ । ପିଲାବେଳୁ ଜଣେ ଅଫିସର ହେବା ପାଇଁ ଇଚ୍ଛା ଥିଲା କିନ୍ତୁ ଅର୍ଥ ସାଜିଥିଲା ବାଧକ । ଶେଷରେ ଆଶାର ବାଡି ସାଜିଲା ୟୁଟ୍ୟୁବ । ୟୁଟ୍ୟୁବରୁ ପାଠ ପଢି ଆଜି ସେ ପଙ୍କରୁ ପଦ୍ମ ହୋଇ ଫୁଟିଛନ୍ତି । ଆଜ୍ଞା ହଁ ଆମେ କହୁଛୁ ମାଲକାନଗିରି ବଣ୍ଡାଘାଟିର ଝିଅ ବିନି ମୁଦୁଲି । ଓପିଏସସି ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଇତିହାସ ରଚିଛନ୍ତି ବିନି । ତୃତୀୟ ଥରରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୯୬ ରାଙ୍କ ରଖି ଏହି ସଫଳତା ପାଇଛନ୍ତି ବିନି । ବଣ୍ଡାଘାଟିର ଝିଅ ଭାବରେ ବିନି ହେଉଛନ୍ତି ପ୍ରଥମ ଝିଅ ଯେ ଏହି ସ୍ତରରେ ପହଞ୍ଚିଛନ୍ତି ।

ବିନିଙ୍କ ବାପା ରାମ ମୁଦୁଲି ମୁଦୁଲିପଡ଼ା ହାଇସ୍କୁଲରେ ରୋଷେୟା ଭାବେ କାମ କରୁଛନ୍ତି ଆଉ ତାଙ୍କ ମାଆ ସୁନାମଣୀ କିରସାନୀ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଛନ୍ତି। ବଣ୍ଡାଘାଟିର ପ୍ରାଥମିକ ବିଦ୍ୟାଳୟରୁ ପାଠପଢ଼ା ଆରମ୍ଭ କରି ପରେ ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ ବିନି । ସେଠାରେ ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ି ପରେ ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ନାମ ଲେଖି ବିଏ ପାସ୍‌ କରିଥିଲେ। ଗ୍ରାଜୁଏସନ ପାସ୍‌ କଲାପରେ ବିନି ଆଗକୁ ଆଉ ପଢିବାକୁ ଚାହୁଁଥିଲେ ମଧ୍ୟ ଅର୍ଥ ଅଭାବରୁ ସେ ଆଉ ଆଗକୁ ପଢିପାରିନଥିଲେ । ଶେଷରେ ୟୁଟ୍ୟୁବରୁ ଓପିଏସସି ପରୀକ୍ଷା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ବିନି । ଅନଲାଇନ କ୍ଲାସ କରି ୨ଥର ପରୀକ୍ଷା ଦେଇ ମଧ୍ୟ କୃତକାଯ୍ୟ ହୋଇପାରିନଥିଲେ । ଶେଷରେ ତୃତୀୟ ଥରରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୨ରେ ୫୯୬ ରାଙ୍କ ରଖି ଏହି ସଫଳତା ପାଇଛନ୍ତି ବିନି ।

ପିଲାଟି ଦିନରୁ ଓଏଏସ୍ ହେବା ବିନିଙ୍କ ସ୍ଵପ୍ନ ଥିଲା । ଆଉ ଆଜି ତାଙ୍କର କଠିନ ପରିଶ୍ରମ ତାଙ୍କୁ ଆଣି ଦେଇଛି ଏହି ସଫଳତା । ରେଜଲ୍‌ଟ ପ୍ରକାଶ ପାଇବା ପରେ ବିନି ମୁଦୁଲି ଖୁସି ପ୍ରକାଶ କରି ଏହି ସଫଳତାର ଶ୍ରେୟ ତାଙ୍କ ବାପା-ମାଆ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ଆଗାମୀ ଦିନରେ ନିଜ ସମ୍ପ୍ରଦାୟ ତଥା ବଣ୍ଡା ଜନଜାତି ଓ ଦୁର୍ଗମ ଅଞ୍ଚଳର ଲୋକଙ୍କ ସେବା ସମେତ ଶିକ୍ଷାର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି ସୁନା ଝିଅ ବିନି । ସେପଟେ ମାଲକାନଗିରିର ବଣ୍ଡା ଜାତିର ଝିଅ ବିନିଙ୍କ ସମେତ ମୋଟ ୪ଜଣ ଏହି ପରିକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କୃତୀ ଅନ୍ୟ ୩ଜଣ ହେଉଛନ୍ତି କୋରକୁଣ୍ଡା ବ୍ଲକ ପଟ୍ରେଲ୍ ଗ୍ରାମ ନିବାସୀ ଶ୍ୟାମା ମାଢୀ, ମେଣ୍ଡୁକୁଲି ଗ୍ରାମର ଭାଗ୍ୟଶ୍ରୀ ମିଶ୍ର ଓ ସଦରର ପିଲହୋଲିକା ପ୍ରିୟଦର୍ଶିନୀ ।

Leave A Reply

Your email address will not be published.