Latest Odisha News

ପରବିନ ବାବି ବାୟୋପିକ୍

ମୁମ୍ବାଇ: ଭାରତରେ ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ବାୟୋପିକ୍ ସଂଖ୍ୟା ବହୁ କମ୍ । ନିର୍ମାତା ନିର୍ଦ୍ଦେଶକମାନେ ଫିଲ୍ମଷ୍ଟାରଙ୍କ ବାୟୋପିକ୍ ପ୍ରତି ସେତେଟା ଆଗ୍ରହ ଦେଖାଇନାହାନ୍ତି । ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ହାତଗଣତି କିଛି ଫିଲ୍ମ ହିଁ ନିର୍ମିତ ହୋଇଛି । ଏସବୁ ପିଲ୍ମ ମଧ୍ୟରେ ରହିଛି ୨୦୧୧ ର ‘ଦି ଡାର୍ଟି ପିକଚର’, ୨୦୧୮ ର ‘ସଂଜୁ’ ଓ ୨୦୧୮ରେ ହିଁ ରିଲିଜ ହୋଇଥିବା ତେଲେଗୁ ଫିଲ୍ମ ‘ମହାନଟି’ ।

ବିଦ୍ୟା ବାଲାନ୍ ଅଭିନୀତ ‘ଦି ଡାର୍ଟି ପିକଚର୍’ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଜୀବନ ଉପରେ ଆଧାରିତ ଥିଲା । ରଣବୀର କପୁର ଅଭିନୀତ ଓ ରାଜକୁମାର ହିରାନୀ ନିର୍ଦ୍ଦେଶିତ ‘ସଞ୍ଜୁ’ ଥିଲା ସଂଜୟ ଦତ୍ତଙ୍କ ଜୀବନ କାହାଣୀ । କୀର୍ତ୍ତୀ ସୁରେଶ ଅଭିନୀତ ୨୦୧୮ର ତେଲେଗୁ ଫିଲ୍ମ ‘ମହାନଟୀ’ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାବିତ୍ରୀ ଦେବୀଙ୍କ ଜୀବନ ଉପରେ ଥିଲା ଆଧାରିତ । ସାବିତ୍ରୀ ଦେବୀଙ୍କୁ ଭାରତୀୟ ଫିଲ୍ମର ପ୍ରଥମ ମହିଳା ସୁପରଷ୍ଟାର କୁହାଯାଏ । ‘ଦି ଡାର୍ଟି ପିକଚର’ ଓ ‘ସଂଜୁ’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ‘ମହାନଟୀ’ ଫିଲ୍ମର ସାବିତ୍ରୀ ଦେବୀଙ୍କ ଭୂମିକାରେ ଅଭିନୟ କରି ତାମିଲ ଅଭିନେତ୍ରୀ କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ହାସଲ କରିଥିଲେ ଜାତୀୟ ପୁରସ୍କାର ।

ଶ୍ୟାମ ବେନେଗଲ ନିର୍ଦ୍ଦେଶିତ ଓ ସ୍ମିତା ପାଟିଲ ଅଭିନୀତ ୧୯୭୭ର ଫିଲ୍ମ ‘ଭୂମିକା’ ୪୦ ଦଶକର ମରାଠୀ ମଂଚ ଓ ଫିଲ୍ମ ଅଭିନେତ୍ରୀ ହଂସା ୱାଡକରଙ୍କ ଉପରେ ଆଧାରିତ ଥିଲା । ଏହି ଫିଲ୍ମରେ ଅଭିନୟ ପାଇଁ ସ୍ମିତା ପାଟିଲ ପାଇଥିଲେ ଜାତୀୟ ପୁରସ୍କାର ।

ଏବେ ହିନ୍ଦି ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ପରବିନ ବାବିଙ୍କ ଜୀବନୀ ଉପରେ ବାୟୋପିକକୁ ନେଇ ବଲିଉଡରେ ଚର୍ଚ୍ଚା ହେଉଛି । ‘ଏନିମଲ’ ଫେମ୍ ଅଭିନେତ୍ରୀ ତୃପ୍ତି ଡିମରି ପରିବନ ବାବିଙ୍କ ଭୂମିକାରେ ଅଭିନୟ କରିପାରନ୍ତି ।

ତେବେ ପରଭିନ ବାବି କିଏ । ସତୁରୀ ଓ ଅଶୀ ଦଶକରେ ହିନ୍ଦି ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଥିଲେ ପରବିନ ବାବି । ମଡେଲିଂ ରୁ ଫିଲ୍ମ ଦୁନିଆକୁ ଆସିଥିଲେ । ଅମିତାଭ ବଚ୍ଚନ ଓ ଅନ୍ୟ ଆଗଧାଡିର ଅଭିନେତାଙ୍କ ସହ ଅଭିନୟ କରି ଦେଇଥିଲେ ଅନେକ ହିଟ୍ ଫିଲ୍ମ । ମଡେଲିଂ ଓ ଫ୍ୟାସନ ସେନ୍ସ ସହ ଫିଲ୍ମ ଅଭିନୟ ଯୋଗୁଁ ବେଶ୍ ଖ୍ୟାତି ପାଇଥିଲେ ପରବିନ୍ । ଦିୱାର, ଅମର ଆକବର ଆନ୍ଥୋନୀ, ସୁହାଗ, କାଲା ପଥର, ଶାନ୍‌, କାଲିଆ ଓ ନମକ ହଲାଲ ଭଳି ଫିଲ୍ମରେ ଅଭିନୟ କରିଥିଲେ ପରବିନ୍ ବାବି । ହାଇଏଷ୍ଟ ପେଡ୍ ଅଭିନେତ୍ରୀଙ୍କ ମଧ୍ୟରେ ପରବିନ ଥିଲେ ଅନ୍ୟତମ । ହିନ୍ଦି ସିନେମାର ପ୍ରଥମ ଷ୍ଟାର୍ ଭାବେ ପ୍ରସିଦ୍ଧ ଟାଇମ ମାଗାଜିନର କଭର ପୃଷ୍ଠାରେ ସ୍ଥାନ ପାଇଥିଲେ ପରବିନ୍ ।

ପରବିନ୍ ବାବିଙ୍କ ବ୍ୟକ୍ତିଗତ ଜୀବନ ଥିଲା ବିବାଦୀୟ ଓ ରହସ୍ୟମୟ । ଖ୍ୟାତି ଶୀର୍ଷରେ ଥିବା ବେଳେ ହଠାତ ଫିଲ୍ମ ଲାଇନରୁ ଦୂରେଇ ଯାଇଥିଲେ ପରବିନ୍ । ନିସଙ୍ଗ ଜୀବନ ବିତାଇଥିଲେ । ମାନସିକ ବିକୃତି ମଧ୍ୟ ଘଟିଥିଲା । ଅଭିନେତା ଡ୍ୟାନି ଡେନଜଙ୍ଗୋପା, କବୀର ବେଦୀ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସହ ଆଫେୟାର ନେଇ ଚର୍ଚ୍ଚିତ ଥିଲେ ପରବିନ । ୨୦୦୫ ମସିହାରେ ମାତ୍ର ୫୫ ବର୍ଷ ବୟସରେ ରହସ୍ୟମୟ ଭାବେ ପରବିନଙ୍କ ମୃତ୍ୟୁ ହୋଇଥିଲା ।

Comments are closed.