Latest Odisha News

ତୁଟିଲା ବିବାଦ: ପରିଚୟ ଫେରିପାଇଲା ବିରଜା ହାଟ

ଯାଜପୁର: ପୁଣି ନିଜର ପରିଚୟ ଫେରିପାଇଲା ବିରଜା ହାଟ । ୧୧ ମାସ ଧରି ବାଦବିବାଦ ପରେ ଆଜି ପୁଣି ସେଇ ପୁରୁଣା ସ୍ଥାନରେ ପୁଣି ଥରେ ବିରଜା ଅଗ୍ନେଶ୍ୱର ହାଟ ବସିଛି । ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ଏହାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବ୍ୟବସାୟ ନହେବାରୁ ଅସନ୍ତୋଷ ଦେଖାଇଥିଲେ ଚାଷୀ ଓ ବେପାରୀ । ଯାହାକୁ ନେଇ ଅନେକ ଅସନ୍ତୋଷ ପରେ ଆଜି ପ୍ରଥମ ଦିନରେ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ବିରଜା ହାଟ ଖୋଲିଛି । ଏଥିସହିତ ଏଠି କୌଣସି ଅପ୍ରୀତିକର ସ୍ଥିତି ନଉପୁଜୁ ସେଥିପାଇଁ ଦୁଇ ପ୍ଲାଟୁନ ପୋଲିସ ସୁରକ୍ଷା ମଧ୍ୟ ବ୍ୟବସ୍ଥା କରାଯାଇଛି ।

ତେବେ ଗତ ଜାନୁଆରୀ ୧୯ ତାରିଖରେ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ ବିରଜା ହାଟକୁ ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ପୁରୁଣା ଜାଗା ଅର୍ଥାତ୍ ମନ୍ଦିର ନିକଟ ହାଟକୁ ଫେରିବା ପାଇଁ ଦାବି କରିଥିଲେ ବ୍ୟାବସାୟୀ ଏବଂ ଚାଷୀ । ଯାହାକୁ ନେଇ ବିଧାୟକଙ୍କ ଉପରେ ଆକ୍ରମଣ ଓ ଥାନା ଘେରାଉ କରିଥିଲେ ବ୍ୟବସାୟୀ । ଏହାର ସମାଧାନ ପାଇଁ ପ୍ରଶାସନ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିବା ପରେ ହାଟକୁ ନେଇ ଲାଗି ରହିଥିବା ବିବାଦ ଉପରୁ ପୂର୍ଣ୍ଣଛେଦ ପଡ଼ିଛି । ଏହାକୁ ନେଇ ଦୁଇ ଦିନ ତଳେ ହାଟ ବିବାଦ ସମାଧାନ ପାଇଁ ବୈଠକ ବସିଥିଲା । ପୁରୁଣା ସ୍ଥାନ ବିରଜା ମନ୍ଦିର ନିକଟରେ ହାଟ ଖୋଲିବାକୁ ନିଷ୍ପତି ନେଇଥିଲା ଜିଲ୍ଲା ପ୍ରଶାସନ । ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପୁରୁଣା ଜାଗାକୁ ଫେରିଛି ବିରଜା ହାଟ ।

Leave A Reply

Your email address will not be published.