Latest Odisha News

BREAKING NEWS

ବୀରଭୂମ ହିଂସା: ବ୍ୟାକଫୁଟରେ ମମତା ସରକାର, ସକାଳୁ ସକାଳୁ ଲାଗିଲା ସିସିଟିଭି

କୋଲକାତା:ପଶ୍ଚିମବଙ୍ଗ  ବୀରଭୂମ ଜିଲ୍ଲା ହିଂସା ଘଟଣାରେ ୮ ଜଣ ଜୀବନ୍ତଦଗ୍ଧ ହେବା ଘଟଣାରେ ଟିଏମସି ସରକାର ବ୍ୟାକଫୁଟରେ । ବୁଧବାର ହାଇକୋର୍ଟ ସରକାରଙ୍କୁ ଏହି ମାମଲାରେ ପ୍ରମାଣ ନଷ୍ଟ ହୋଇପାରିବ ନାହିଁ ବୋଲି ରୋକଠୋକ କହିଛନ୍ତି । ଏଥିସହ ଏହି ମାମଲାରେ ଅପରାହ୍ନ ୨ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ଘଟଣା ସ୍ଥଳରେ ସିସିଟିଭି କ୍ୟାମେରା ଲଗାଯିବା ଉଚିତ ବୋଲି ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟର ଏହି ନିର୍ଦ୍ଦେଶ ପରେ ଗୁରୁବାର ସକାଳେ କ୍ୟାମେରା ଲଗାଯିବା ଆରମ୍ଭ ହୋଇଥିଲା। କେବଳ ଏତିକି ନୁହେଁ, ମୁୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାମପୁରହାଟକୁ ଆସିବେ ବୋଲି ଜଣାପଡିଛି । ଯେଉଁଠାରେ ହିଂସାକାଣ୍ଡ ପାଇଁ କିଛି ଘର ଜଳିଯାଇଛି, ୮ ଜଣଙ୍କର ମୃତ୍ୟୁ ଘଟିଛି। ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ପରିବାର ମଧ୍ୟ ଟିଏମସି ସମର୍ଥକ ବୋଲି ସୂଚନା ରହିଛି ।

ତେବେ ହିଂସା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି। ସୋମବାର ଟିଏମସି ପଞ୍ଚାୟତ ନେତା ଭଦୁ ଶେଖ ହତ୍ୟାର ଶିକାର ହୋଇଥିଲେ । ଏହାପରେ ହିଂସାକାଣ୍ଡ ଘଟିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବାରେ ପ୍ରଶାସନ ପଛଘୁଞ୍ଚା ଦେଇଥିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଉଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୨୩ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଟିଏମସି ନେତାଙ୍କୁ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ଅଗ୍ନିକାଣ୍ଡ ଘଟଣାରେ ସମ୍ପୃକ୍ତି ମାମଲାରେ ୨୨ ଜଣଙ୍କୁ ଗିରଫ କରାଯାଇଛି।

ଏହି ଘଟଣାରେ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରିଛି। ଏହା ବ୍ୟତୀତ ଫରେନସିକ୍ ଏବଂ ଏସଆଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ କରୁଛନ୍ତି। ଏହା ବ୍ୟତୀତ ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ପୁଣିଥରେ ସରକାରଙ୍କୁ ରିପୋର୍ଟ ଉପସ୍ଥାପନ କରିବାକୁ କହିଛନ୍ତି। ଏହାପୂର୍ବରୁ ରାଜ୍ୟରେ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ରାମପୁର ହାଟକୁ ଯାଇ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଅଧିକାରୀ ଏନ୍ଆଇଏ କିମ୍ବା ସିବିଆଇ ଦ୍ୱାରା ଏହି ମାମଲାର ତଦନ୍ତ ଦାବି କରିଛନ୍ତି। କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ ରାଜ୍ୟରେ ଜଙ୍ଗଲ ରାଜ୍ ପରିସ୍ଥିତି ରହିଛି ଏବଂ ଏହାର ମୁକାବିଲା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର।

Leave A Reply

Your email address will not be published.