Latest Odisha News

BREAKING NEWS

ଡେଲାଙ୍ଗରେ ବାର୍ଡ ଫ୍ଲୁ, ମଲେଣି ୨୦ ହଜାର କୁକୁଡ଼ା

ପୁରୀ: ଡେଲାଙ୍ଗ ବ୍ଲକରେ ପୁଣି ଦେଖାଦେଇଛି କୁକୁଡା ମଡ଼କ। ଗତ ୭ ଦିନ ମଧ୍ୟରେ ବ୍ଲକର ବିଭିନ୍ନ ଫାର୍ମ ଗୁଡ଼ିକରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରିଛନ୍ତି। ବ୍ଲକର ଆଙ୍କୁଲା, ଶିଶୁଆପଡ଼ା, ଗୋଡ଼ିପୁଟ ମାଟିଆପଡ଼ା, ବେଗୁନିଆପଡ଼ା, ସିଂହବ୍ରହ୍ମପୁର, ଚାଇଁପୁର, ଗଡ଼ମୋଟରୀ ଆଦି ଅଞ୍ଚଳରେ ଥିବା ୧୫ରୁ ଊର୍ଦ୍ଧ୍ବ ଫାର୍ମ ଗୁଡ଼ିକରୁ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିଯିବାରୁ ଚାଷୀଙ୍କର ଲକ୍ଷଲକ୍ଷ ଟଙ୍କା କ୍ଷତି ହୋଇଛି। ଏହା ବାର୍ଡ ଫ୍ଲୁ ବୋଲି ସନ୍ଦେହ କରାଯାଉଛି।

ଅନ୍ୟପଟେ ଅନେକ ଚାଷୀ ଏହା କୌଣସି ଅଜଣା ସଂକ୍ରମିତ ରୋଗ ବୋଲି କହୁଛନ୍ତି। ବ୍ଲକରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଅଧିକାରୀ ଯାଇ ମୃତ କୁକୁଡ଼ାଙ୍କ ସ୍ୱାବ୍‌ ନମୁନା ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି।

କମ୍ପାନୀ କିମ୍ବା ପଶୁଚିକିତ୍ସା ବିଭାଗ ପକ୍ଷରୁ ମୃତ କୁକୁଡ଼ା ଗୁଡ଼ିକୁ ଉଠାଇବା ଲାଗି କୌଣସି ବନ୍ଦୋବସ୍ତ କରାଯାଉ ନ ଥିବାରୁ ଚାଷୀ ମୃତ କୁକୁଡ଼ା ଗୁଡ଼ିକୁ କେନାଲ, ନଦୀ ନାଳରେ ଫୋପାଡ଼ି ଦେଉଛନ୍ତି। ଫଳରେ ସଂକ୍ରମିତ କୁକୁଡ଼ାଙ୍କ ଶରୀରରୁ ଜୀବାଣୁ ପାଣିରେ ମିଶିବା ସହିତ ପାଣିକୁ ବିଷାକ୍ତ କରୁଛି। ଏହି ପାଣିକୁ ବ୍ୟବହାର କରୁଥିବା ପଶୁ, ପକ୍ଷୀ ଓ ସାଧାରଣ ଲୋକଙ୍କ ଶରୀର ଅସୁସ୍ଥ ହେବା ଆଶଙ୍କା ଦେଖାଦେଇଛି।

 

Comments are closed.