Latest Odisha News

BREAKING NEWS

କଣାସରେ ବାର୍ଡ ଫ୍ଲୁ ଆଶଙ୍କା: ରାସ୍ତା କଡ଼ରେ କୁଢ଼ କୁଢ଼ ମଲା କୁକୁଡ଼ା, ଆତଙ୍କିତ ସ୍ଥାନୀୟ ଲୋକେ

କଣାସ: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଏବେ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। କଣାସ ନୂଆ ଜଗନ୍ନାଥ ସଡ଼କର କଉଡିଆପୁରରୁ କାଦୁଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଏକାଧିକ ମଲା ବ୍ରଏଲର କୁକୁଡ଼ା ପଡ଼ି ରହିଥିବା ଦେଖିବାକୁ ମିଳିଛି। ପରିବେଶ ସୁରକ୍ଷା ପ୍ରତି ସାମାନ୍ୟ ସଚେତନ ନହୋଇ କୌଣସି ଫାର୍ମ ମାଲିକ ମଲା କୁକୁଡ଼ାଗୁଡ଼ିକୁ ମାଟିରେ ନ ପୋତି ଏଭଳି ବେପରୁଆ ଭାବେ ରାସ୍ତା କଡ଼ରେ ଫିଙ୍ଗି ଦେଇ ପଳାଇଥିବା ଅଭିଯୋଗ ହୋଇଛି।

 

ଖରାର ପ୍ରକୋପ ଯୋଗୁଁ ରାସ୍ତା କଡ଼ରେ ପଡ଼ିଥିବା କୁକୁଡ଼ା ଶବଗୁଡ଼ିକ ପଚିବାକୁ ଆରମ୍ଭ କଲାଣି। ଏଥିରୁ ବାହାରୁଥିବା ଅସହ୍ୟ ଦୁର୍ଗନ୍ଧ ଯୋଗୁଁ ସେହି ରାସ୍ତାରେ ଯାତାୟାତ କରୁଥିବା ପଥଚାରୀ ଏବଂ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାଦ୍ୱାରା ଅଞ୍ଚଳରେ ମହାମାରୀ କିମ୍ବା ବ୍ୟାଧି ବ୍ୟାପିବାର ଆଶଙ୍କା ମଧ୍ୟ ଦେଖାଦେଇଛି। ଏଭଳି ଅମାନୁଷିକ ତଥା ବେଆଇନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

ଯେଉଁମାନେ ପରିବେଶକୁ ଦୂଷିତ କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି, ପ୍ରଶାସନ ସେହି ଫାର୍ମ ମାଲିକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

 

ଅନ୍ୟପଟେ ଏହି ଘଟଣାକୁ ନେଇ କଣାସ ବ୍ଲକ ପଶୁଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ବର୍ତ୍ତମାନର ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗରମ ଯୋଗୁଁ ହୁଏତ କୁକୁଡ଼ାଗୁଡ଼ିକର ମୃତ୍ୟୁ ହୋଇଥାଇପାରେ ବୋଲି ସେ ପ୍ରାଥମିକ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯିବା ସହ ଏହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।

Comments are closed.