ହରିୟାଣା: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ନିଜର ଏକ ସୁନ୍ଦର ଘର ତିଆରି କରିବାକୁ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ କୌଣସି ବ୍ୟକ୍ତି ପକ୍ଷୀମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳି ତିଆରି କରିବାକୁ ଚେଷ୍ଟା କରନ୍ତି ନାହିଁ । କିନ୍ତୁ ଗୁଜୁରାଟ ସୁରଟର ଜଣେ ବ୍ୟବସାୟୀ ପକ୍ଷୀମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଏକ ଅନନ୍ୟ ପକ୍ଷୀ ଟାୱାର ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ଯେଉଁ ଟାୱାରକୁୁ ଦେଖିଲେ ଆପଣଙ୍କ ଆଖି ଝଲସିଯିବ ।
ହରିୟାଣାର ଚାରଖୀ ଦାଦ୍ରିର ମାଇ ଖୁରଡ଼ ଗ୍ରାମର ବ୍ୟବସାୟୀ ମହେନ୍ଦ୍ର ଶର୍ମା । ମହେନ୍ଦ୍ର ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି । ପକ୍ଷୀମାନେ କିପରି ଭଲରେ ଖାଇପିଇ ରହିବେ ସେ ନେଇ ଚିନ୍ତା କରନ୍ତି । ଶେଷରେ ସେ ପକ୍ଷୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁନ୍ଦର ଘର ନିର୍ମାଣ କରିଛନ୍ତି । ସେ ପକ୍ଷୀମାନଙ୍କ ପାଇଁ ୭୫ ଫୁଟ ଉଚ୍ଚ ୭ ମହଲା ଘର ତିଆରି କରିଛନ୍ତି , ଯେଉଁଥିରେ ରହିଛି ୭୦୦ଟି ଫ୍ଲାଟ । ଏଠାରେ ୪ ହଜାରରୁ ଅଧିକ ପକ୍ଷୀ ରହିବାର ବ୍ୟବସ୍ଥା କରିଛନ୍ତି । ଏହି ନିଆରା ପକ୍ଷୀ ଘରକୁ ତିଆରି କରିବା ପାଇଁ ଗୁଜୁରାଟର ୨୦ ଜଣ କାରିଗରଙ୍କୁ ପ୍ରାୟ ଦୁଇ ମାସରୁ ଅଧିକ ସମୟ ଲାଗିଥିଲା ।
କାରିଗରମାନେ ଏହି ଅନନ୍ୟ ବାର୍ଡ-ଟାୱାର ନିର୍ମାଣ ସମୟରେ ଏକ ସ୍ୱତନ୍ତ୍ର ପ୍ରକାରର ମାଟି ଏବଂ ନିର୍ମାଣ ସାମଗ୍ରୀ ବ୍ୟବହାର କରିଛନ୍ତି । ଫ୍ଲାଟଗୁଡିକ ଏପରି ଭାବରେ ନିର୍ମାଣ କରାଯାଇଛି ଯେ, ପ୍ରତ୍ୟେକ ଋତୁରେ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଅନୁକୂଳ ହେବ । ଏହି ଟାୱାର ଭୂକମ୍ପ ପ୍ରତିରୋଧକ ଥିବାବେଳେ ଏହା ଗ୍ରୀଷ୍ମ ଋତୁରେ ଥଣ୍ଡା ଏବଂ ଶୀତଦିନେ ଉଷ୍ମ ରହିବ । ପକ୍ଷୀମାନଙ୍କ ପାଇଁ ଜଳର ବ୍ୟବସ୍ଥା କରାଯାଇଛି । ଏହାର ଭିତରେ ଏବଂ ବାହାରେ ସ୍ୱତନ୍ତ୍ର ସାମଗ୍ରୀ ବ୍ୟବହାର କରାଯାଇଛି । ଏହା ପକ୍ଷୀମାନଙ୍କର ପ୍ରଜନନ ପାଇଁ ସହାୟକ ହେବ । ପକ୍ଷୀମାନେ ମଧ୍ୟ ଏହି ଫ୍ଲାଟଗୁଡିକରେ ଆରାମରେ ପ୍ରଜନନ କରିପାରିବେ । ମହେନ୍ଦ୍ରଙ୍କ ଏହି ପଦକ୍ଷେପକୁ ପରିବେଶବିତ୍ମାନେ ଖୁବ୍ ପ୍ରଶଂସା କରୁଛନ୍ତି ।
ବ୍ୟବସାୟୀ ମହେନ୍ଦ୍ର ଶର୍ମା କହିଛନ୍ତି ଯେ, ମୁଁ ପକ୍ଷୀମାନଙ୍କୁ ବହୁତ ଭଲ ପାଇଥାଏ । ସେମାନଙ୍କ ସୁରକ୍ଷା ମୋତେ ସବୁବେଳେ ବ୍ୟଥିତ କରିଥାଏ । ଏଥିଲାଗି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ମୋ ନିଜ ଗାଁରେ ଏହି ଟାୱାର ନିର୍ମାଣ କରିଛି । ଏଥିସହ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ମୁଁ ଏକ ସଂଗଠନ ମଧ୍ୟ ଗଠନ କରିଛିି । ଏହି ସଂଗଠନ ଆଗକୁ ନିକଟସ୍ଥ ଅନେକ ଗ୍ରାମରେ ଏପରି ଟାୱାର ନିର୍ମାଣ କରିବ । ଏବେ ତିନୋଟି ସ୍ଥାନ ଚୟନ କରାଯାଇଛି ।
ସେହିପରି ପୂର୍ବତନ ସରପଞ୍ଚ ବିଜୟ କୁମାର ଏବଂ ଦେବରାଜ ଶର୍ମା କହିଛନ୍ତି ଯେ, ଏହି ପକ୍ଷୀ ଟାୱାର ନିର୍ମାଣ ପରେ ଆଖପାଖର ଲୋକମାନେ ଏହାକୁ ଦେଖିବାକୁ ପ୍ରତ୍ୟେକ ଦିନ ଭିଡ଼ ଜମାଉଛନ୍ତି । ସାଧାରଣତଃ ଗୁଜୁରାଟରେ ଏହିପରି ଟାୱାରଗୁଡିକ ଦେଖିବାକୁ ମିଳିଥାଏ ।
Comments are closed.