Latest Odisha News

ବିଚକ୍ଷଣ ବ୍ୟକ୍ତିତ୍ୱ ତଥା ମିସାଇଲ ମ୍ୟାନ ଅବଦୁଲ କଲାମଙ୍କର ଜନ୍ମ ଦିବସ

ଭୁବନେଶ୍ୱର: ଭାରତ ମାତାର ସୁଯୋଗ୍ୟ ସନ୍ତାନ ମାନଙ୍କ ମଧ୍ୟରେ ଅନ୍ୟତମ  ବିଚକ୍ଷଣ ବ୍ୟକ୍ତିତ୍ୱ ଡକ୍ଟର ଏପିଜେ ଅବଦୁଲ କଲାମ। କଲାମଙ୍କୁ ମିସାଇଲ ମ୍ୟାନ ଭାବେ ଜାଣିଛି ସାରା ବିଶ୍ୱ ।

କି ହିନ୍ଦୁ କି ମୁସଲମାନ ନିଜର ସରଳ ତଥା ଶାନ୍ତ ବ୍ୟକ୍ତିତ୍ୱରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ସେ । ସେହି ମହାନ ପୁରୁଷଙ୍କର ଆଜି ହେଉଛି ୮୯ତମ ଜନ୍ମତିଥି ।

ତାମିଲନାଡୁର ରାମେଶ୍ୱରଠାରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ନେଇଥିଲେ କଲାମ । ଗରିବ ପରିବାରର ଏହି ପିଲାଟି ଦିନେ ସାରାଦେଶ ପାଇଁ ଆଦର୍ଶ ଓ ଗୌରବର ଉଦାହରଣ ପାଲଟି ଯିବ ତାହା ହୁଏତ କେହିବି କଳ୍ପନା କରିନଥିବେ । ପିଲାଟିବେଳୁ ସଂଘର୍ଷରେ ଜୀବନ ଅତିବାହିତ କରିଥିବା କଲାମ ପରବର୍ତ୍ତୀ ସମୟରେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ପାଲଟି ଯାଇଥିଲେ ।

କଲାମ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ବହନ କରିଛନ୍ତି। ଏହା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ।ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଥିଲା।

ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ୧୯୯୭ ମସିହାରେ କଲାମଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା।

ଭାରତ ମାତାର ଏହି ରତ୍ନ ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ଫେରିଯାଇଥିଲେ ସେଇ ଅଫେରା ରାଇଜକୁ । ଶିକ୍ଷାଦାନକୁ ନିଜର ନିଶା ଭାବି ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟୁଥିବା ସମୟରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେ । ପୃଥିବୀରୁ ବିଦାୟ ନେଇସାରିଥିବା ଏହି ମହାମାନବ ଆଜିବି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜୀବିତ ହୋଇ ରହିଛନ୍ତି।

Leave A Reply

Your email address will not be published.