ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା
ଭୁବନେଶ୍ୱର: ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଆଜି ହେଉଛି ଜୟନ୍ତୀ।ଲୋକଙ୍କ କଲ୍ୟାଣ ସହ ରାଜ୍ୟର ପ୍ରଗତି, ଶିକ୍ଷା ଓ ସାହିତ୍ୟ ମାଧ୍ୟମରେ ସମାଜର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ।
ବାଲ୍ୟକାଳରୁ ସାଂସାରିକ ଜୀବନ:
ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ରୂପେ କୃଷ୍ଣଚନ୍ଦ୍ର ୧୮୯୨ ମସିହା ଅପ୍ରେଲ ମାସ ୨୬ତାରିଖ, ବୈଶାଖ ମାସ ଅମାବାସ୍ୟା ଦିନ ପାରଳାଖେମୁଣ୍ଡିଠାରେ ଜନ୍ମ ଗ୍ରହଣ କରିଥିଲେ । ପିତା ଗୌରଚନ୍ଦ୍ର ଗଜପତି ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ସେ ବାଲ୍ୟଶିକ୍ଷା ସମାପ୍ତ କରିଥିଲେ ।
ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଉଚ୍ଚଶିକ୍ଷା ପାଇଁ ସେ ତତ୍କାଳୀନ ମାନ୍ଦ୍ରାଜ ଗଲେ । ଅଧ୍ୟକ୍ଷ ମରିସନ୍ ସାହେବ ଓ ଅଧ୍ୟାପକ ମି.ଡି.ଲାହେ, ନିଉଲଣ୍ଡନ କଲେଜରେ ତାଙ୍କର ଶିକ୍ଷକ ଥିଲେ । ମାନ୍ଦ୍ରାଜରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ପିତା ଗୌରଚନ୍ଦ୍ର ନାରାୟଣ ଦେବଙ୍କର ସ୍ୱର୍ଗବାସ ହୋଇଥିଲା ।
ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଖରସୁଆଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ ।
ସେ ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ କୃଷ୍ଣଚନ୍ଦ୍ର ଦେବଙ୍କର ଦୁଇ ଗୋଟି ପୁତ୍ର ଥିଲେ । ପାଟରାଣୀଙ୍କର ଅକାଳ ବିୟୋଗ ଯୋଗୁଁ ବୈବାହିକ ଜୀବନ ତାଙ୍କର ଦୀର୍ଘସ୍ଥାୟୀ ହୋଇ ନଥିଲା । ସେ ଦ୍ୱିତୀୟ ବିବାହ କରିନଥିଲେ । ୨୫ ମଇ ୧୯୭୪ରେ ତାଙ୍କର ପରଲୋକ ହୋଇଥିଲା ।
ଅବଦାନ:
କଲେଜରେ ପଢ଼ିଲାବେଳେ କିଶୋର କୃଷ୍ଣଚନ୍ଦ୍ର ସର୍ବଦା ପାରଳାଖେମୁଣ୍ଡି ଏବଂ ଓଡ଼ିଆ ଜାତିର ଉନ୍ନତି ବିଷୟରେ ଚିନ୍ତା କରୁଥିଲେ । ଏଣେ କୋର୍ଟ ଅଫ ବର୍ଡସଙ୍କ ପ୍ରରୋଚନାରେ କୃଷ୍ଣଚନ୍ଦ୍ରଙ୍କର ପିତୃବ୍ୟ ପଦ୍ମନାଭ ଗଜପତି ପାରଳାଖେମୁଣ୍ଡିରେ ପ୍ରତିଷ୍ଠା କରିଥିବା ମହାବିଦ୍ୟାଳୟକୁ ଖର୍ଚ୍ଚ କାଟ କରିବା ଆଳରେ ଉଠାଇଦେବାକୁ ମସୁଧା କରିବା ଜାଣି କୃଷ୍ଣଚନ୍ଦ୍ର ଏହାର ଘୋର ବିରୋଧ କରିଥିଲେ । ଫଳରେ ସେହି କଲେଜ ନ ଉଠି ରହିଗଲା ।
ତାଙ୍କ ମତରେ ରାଜ୍ୟ ତଥା ଓଡ଼ିଶାରୁ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇପାରିଲେ ଜନସାଧାରଣଙ୍କ ଆର୍ଥିକ, ମାନସିକ, ସାମୂହିକ ଉନ୍ନତି ସାଧିତ ହୋଇପାରିବ । ଶିକ୍ଷାର ବିକାଶ ପାଇଁ ସେ ଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ । ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ ।
ମଧୂସୁଦନ ଦାସଙ୍କ ନାରିଶିକ୍ଷା ପ୍ରାଧାନ୍ୟ ପ୍ରତି ଗୁରୁତ୍ୱଦେଇ କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ ।
ନାରୀଶିକ୍ଷା:
ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା ବହୁ ଅପ୍ରାପ୍ତବୟସ୍କା ବାଳିକା ବିବାହ କରି ଅକାଳ ବୈଧବ୍ୟ ଯୋଗୁ ଦୁଃଖରେ କାଳତିପାତ କରୁଥିଲେ । ପାରଳାରେ ସଙ୍ଗୀତଜ୍ଞ ବୃନ୍ଦାବନ ପାଣିଗ୍ରାହୀଙ୍କ ଝିଅ ପାଖ ପଡିଶାର ଝିଅମାନଙ୍କୁ ଡାକି ଆଣି ନିଜ ଘରେ ପାଠ ପଢ଼ାଉଥିବା ଖବର ରାଜା କୃଷ୍ଣଚନ୍ଦ୍ରଙ୍କ କର୍ଣ୍ଣଗୋଚର ହେବାମାତ୍ରେ ସେଥିଲାଗି ସେ ଗୋଟିଏ କୋଠାଘର ଯୋଗାଇ ଦେଇ ସେଠାରେ ବାଳିକା ବିଦ୍ୟାଳୟ ଆରମ୍ଭ କରିଥିଲେ । ପ୍ରତିବର୍ଷ ପାଠପଢ଼ାରେ ଭଲ କରୁଥିବା ଝିଅମାନଙ୍କୁ ସୁନା ଓ ରୂପା ଗହଣା ସହିତ ଶାଢୀ ପୁରସ୍କାର ଦେଉଥିଲେ । ଫଳରେ ବାଳିକା ସଂଖ୍ୟା ବୃଦ୍ଧି ପାଇଲା ଓ କ୍ରମଶଃ ଏହା ପାରଳାଖେମୁଣ୍ଡିର ପ୍ରଥମ ବାଳିକା ଉଚ୍ଚବିଦ୍ୟାଳୟରେ ପରିଣତ ହେଲା ।
ନିଜ ରାଜ୍ୟରେ ଶିକ୍ଷାର ବିସ୍ତାର ଲାଗି ମୁକ୍ତହସ୍ତ ହୋଇ ପଡ଼ିଥିଲେ କୃଷ୍ଣଚନ୍ଦ୍ର । କଲେଜ ପାଠ ଶେଷ ହେବା ପରେ ଛାତ୍ରମାନଙ୍କୁ ମାସିକ ବୃତ୍ତିଦେଇ ଦେଶର ବିଭିନ୍ନ ପ୍ରଦେଶରେ ଥିବା କୃଷି, ଇଂଜିନିୟରିଂ, ମେଡିକାଲ, ପଶୁଚିକିତ୍ସା ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷାୟତନମାନଙ୍କରେ ପଢ଼ିବାକୁ ପଠାଇ ଦିଆଯାଉଥିଲା । ମନ୍ଦ୍ରାଜର ନିଉ ଉଇଂଗଟନ କଲେଜରେ ପଢିଲାବେଳେ ସେଠାକାର ଜଣେ ଅଧ୍ୟାପକ ମିଷ୍ଟର କାମେରାନ ମୋରିସନଙ୍କଦ୍ୱାରା ରାଜକୁମାର କୃଷ୍ଣଚନ୍ଦ୍ର ପ୍ରଭାବିତ ହୋଇଥିଲେ ।
Comments are closed.