Latest Odisha News

ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକୀରେ ଜାଣନ୍ତୁ, ତାଙ୍କ ରାଜନୈତିକ ଜୀବନ ସମ୍ପର୍କରେ

ଭୁବନେଶ୍ୱର: ଆଜି ହେଉଛି ଭାରତର ୧୩ ତମ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ଦିନ। ସ୍ବର୍ଗତ ପ୍ରଣବ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାରରେ ସମ୍ଭାଳିଥିଲେ । ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ ମିରାଟିଠାର ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଣବ।

ପ୍ରଣବ କଲିକତା ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ଏବଂ ଆଇନ ଡିଗ୍ରୀ ହାସଲ କରିଛନ୍ତି ।ତେବେ ସେ ପ୍ରଥମେ କଲିକତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲରେ ଜଣେ କିରାଣି ଭାବେ କାମ କରୁଥିଲେ ।ପରେ ସେ କଲିକତା ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟର ଅଧକ୍ଷଭାବେ ନିଯୁକ୍ତି ପାଇଥିଲେ ।ଏହାପରେ ସେ ସାମ୍ବାଦିକତା ଏବଂ ଓକିଲାତିକୁ ନିଜର ପେଶାରୂପେ କିଛି ଦିନ ଆପଣେଇଥିଲେ ।

ରାଜନୀତି ଜୀବନ:

୧୯୬୯ରେ ପ୍ରଣବ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।ସେହି ବର୍ଷ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଇଥିଲେ । ପରେ ସେ ୧୯୭୫,୧୯୮୧,୧୯୯୩ ଏବଂ ୧୯୯୯ ମସିହାରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହେଇଥିଲେ ।୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟରେ ତାଙ୍କୁ ଶିଳ୍ପ ବିକାଶ ଉପମନ୍ତ୍ରୀ ନିଯୁକ୍ତ କରାଯାଇଥିଲା ।

୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ ।ତାଙ୍କ ପ୍ରସ୍ତାବିତ ଅର୍ଥନୀତି ଯୋଗୁଁ ଇନ୍ଦିରା ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆ.ଏମ.ଏଫ୍.)କୁ ଦେଶର ପ୍ରଥମ ଋଣ ପୈଠର ଅନ୍ତିମ କିସ୍ତି କରିବାରେ ସଫଳ ହେଇଥିଲା ।

ଏହି ସମୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଭାବେ ଡଃ ମନମୋହନ ସିଂହଙ୍କ ନିଯୁକ୍ତି ପତ୍ରରେ ପ୍ରଣବ ଅର୍ଥମନ୍ତ୍ରୀ ଭାବେ ଦସ୍ତଖତ କରିଥିଲେ ।

ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜିବ ଗାନ୍ଧୀଙ୍କ ସହ ମତାନ୍ତର ସୃଷ୍ଟି ହେବାରୁ ସେ କଂଗ୍ରେସରୁ ଓହରିଯାଇଥିଲେ ।

ସେ ସମୟରେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ନାମରେ ସେ ନିଜର ଏକ ଦଳ ଗଠନ କରିଥିଲେ ।ମାତ୍ର କିଛି ଦିନ ପରେ ରାଜୀବ ଗାନ୍ଧୀଙ୍କ ବୁଝାମଣା ହେବାରୁ ପୁଣି କଂଗ୍ରେସରେ ପ୍ରଣବ ସାମିଲ ହେଇଥିଲେ ।ପି.ଭି.ନରସିଂହ ରାଓଙ୍କ ସରକାରରେ ପ୍ରଣବଙ୍କୁ ଭାରତୀୟ ଯୋଜନା କମିଶନର ଉପାଧ୍ୟକ୍ଷ ନିଯୁକ୍ତ କରାଯିବା ସହ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା ।

କୁହାଯାଏ ପ୍ରଣବ ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀଙ୍କୁ ରାଜନୀତିକୁ ଆଣିବାରେ ମୂଖ୍ୟଭୂମିକା ଗ୍ରହଣ କରିଥିଲେ ।ସୋନିଆ କଂଗ୍ରେସ ଅଧ୍ୟକ୍ଷା ହେବାପରେ ୧୯୯୮-୧୯୯୯ ପର୍ଯ୍ୟନ୍ତ ପ୍ରଣବଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କରାଯାଇଥିଲା। ୨୦୦୦ ମସିହାରେ ସେ ପଶ୍ଚିମବଙ୍ଗର କଂଗ୍ରେସ ଅଧ୍ୟକ୍ଷ ହେଲେ ।

୨୦୦୪ ମସିହା ସାଧାରଣ ନିର୍ବାଚନରେ ସେ ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ଲଢିଥିଲେ ।ପଶ୍ଚିମବଙ୍ଗର ଜାଙ୍ଗିପୁରରୁ ସେ ନିର୍ବାଚିତ ହେଇଥିଲେ ।୨୦୦୯ରେ ସେ ପୁନଃ ସେଠାରୁ ନିର୍ବାଚିତ ହେଇଥିଲେ।ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଥମ ଓ ଦ୍ୱିତୀୟ ସରକାରରେ ସେ ପ୍ରତିରକ୍ଷା,ଅର୍ଥ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave A Reply

Your email address will not be published.