Latest Odisha News

BREAKING NEWS

ଏତେ ସହଜ ନ ଥିଲା ଅଫ ସ୍ପିନର ସର୍ଦ୍ଦାର ହେବା..

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ମହାନ ଅଫ ସ୍ପିନର ବିଶେନ ସିଂ ବେଦୀଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆଧୁନିକ କ୍ରିକେଟ ମହାନ ସ୍ପିନର ଭାବେ ପରିଗଣିତ ଶେନ ୱାର୍ଣ୍ଣେ ମଧ୍ୟ ତାଙ୍କୁ ଆଦର୍ଶ ମନେ କରନ୍ତି । ତେବେ ଅଫ ସ୍ପିନର ସର୍ଦ୍ଦାର ଭାବେ ପରିଚିତ ବେଦୀ ଏତେ ସହଜରେ ବିଶ୍ୱ କ୍ରିକେଟରେ ଛାପ ଛାଡି ନ ଥିଲେ । ଗୋଟିଏ ଆକ୍ସନରେ ୪ ପ୍ରକାର ବଲ ପକାଇବା ତାଙ୍କର ଦକ୍ଷତା ଥିଲା । ୧୯୬୬ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ୧୨ ବର୍ଷ ଧରି ଜାତୀୟ ଦଳ ପକ୍ଷରୁ ଖେଳିଥିଲେ । ସେ ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୧୫୬୦ ୱିକେଟ ନେଇଥିଲେ । ଅଫ ସ୍ପିନ ବୋଲିଂ ପାଇଁ ଆଙ୍ଗୁଳି ମଜଭୁତ ହେବା ଦରକାର । ଏଥିପାଇଁ ବେଦୀ ନିଜ କପଡା ନିଜେ ସଫା କରିଥାନ୍ତି । ଯାହା ଫଳରେ ତାଙ୍କ ଆଙ୍ଗୁଳି ମଜଭୁତ ରହିଥାଏ ।

୧୫ ବର୍ଷ ବୟସରେ ସେ ଉତର ପଞ୍ଜାବ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ । ଏହା ପରେ ସେ ଦିଲ୍ଲୀ ପକ୍ଷରୁ ରଣଜୀ ଟ୍ରଫି ଖେଳିଥିଲେ । ୧୯୭୪-୭୫ ସିଜନରେ ସେ ରଣଜୀ ଟ୍ରଫିରେ ୬୪ ୱିକେଟ ନେଇଥିଲେ । ତାଙ୍କ ନେତୃତ୍ୱରେ ଦିଲ୍ଲୀ ୧୯୭୬ରେ ରନର୍ସଅପ ଓ ୧୯୭୮ରେ ଚାମ୍ପିୟନ ହୋଇଥିଲା । ଜାତୀୟ ଦଳର ସଦସ୍ୟ ହେବା ପରେ ୧୯୭୬ରେ ତାଙ୍କ ନେତୃତ୍ୱରେ ଭାରତ ପୋର୍ଟ ଅଫ ସ୍ପେନରେ ଐତିହାସିକ ବିଜୟ ହାସଲ କରିଥିଲା । ୧୯୭୬ରେ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟିମ ଚମତ୍କାର ସୁଇଂ ବୋଲିଂ କରିଥିଲେ । ଜନ ଲିଭର ଓ ବବ ୱିଲ୍ସ ବଲ ଟ୍ୟାମ୍ପରିଂ କରୁଛନ୍ତି ବୋଲି ବେଦୀ ଅଭିଯୋଗ ଆଣିଥିଲେ । ଯାହା କି ସେ ସମୟରେ ଆଲୋଡନ ସୃଷ୍ଟି କରିଥିଲା । ସେ ସମୟରେ ଏହା ପ୍ରମାଣିତ ହୋଇ ପାରି ନ ଥିଲା । ମାତ୍ର ପରେ ଅମ୍ପାୟର ରୁବେନ ଏହା ସ୍ୱୀକାର କରିଥିଲେ ।

ବେଦୀ ଭାରତ ପକ୍ଷରୁ ୬୭ ଟେଷ୍ଟ ଓ ୧୦ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟରେ ୨୬୬ ଓ ଦିନିକିଆରେ ୭ଟି ୱିକେଟ ନେଇଥିଲେ । ୧୯୮୯ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଟିମର ସେ ମ୍ୟାନେଜର ଥିଲେ । ସିରିଜରେ ଖରାପ ପ୍ରଦର୍ଶନ ପରେ ସେ ଟିମକୁ ପ୍ରଶାନ୍ତ ମହାସାଗରରେ ଫିଙ୍ଗି ଦେବା ପାଇଁ କହିଥିଲେ । ୧୯୭୮ରେ ପାକିସ୍ତାନ ବିପକ୍ଷ ଏକ ମୁକାବିଲାରେ ମ୍ୟାଚ ଅଧାରୁ ଟିମ ଫେରାଇବା ନେବା ତାଙ୍କର ଏକ ବିବାଦୀୟ ନିଷ୍ପତି ଥିଲା । ଏହି ମ୍ୟାଚରେ ଭାରତ ୧୮ ବଲରେ ୨୩ ରନ ବିଜୟ ପାଇଁ ଆବଶ୍ୟକ କରୁଥିଲା । ସରଫରାଜ ନୱାବ କ୍ରମାଗତ ୪ଟି ବାଉନ୍ସର ପକାଇଥିଲେ ଅମ୍ପାୟର କୌଣସି ବଲକୁ ୱାଇଡ ଦେଇ ନ ଥିଲେ । ବେଦୀ ରାଗରେ ପଡିଆରୁ ବ୍ୟାଟ୍ସମ୍ୟାନଙ୍କୁ ଡାକି ନେଇଥିଲେ । ପାକିସ୍ତାନ ଏହି ମ୍ୟାଚରେ ବିଜୟୀ ଘୋଷିତ ହୋଇଥିଲା ।

Leave A Reply

Your email address will not be published.