Latest Odisha News

BREAKING NEWS

ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ, ଆତ୍ମହତ୍ୟା ସଂଖ୍ୟା ଦେଖାଇ ସରକାରକୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାର ଶୂନ୍ୟକାଳରେ ଉଠିଛି । ବିରୋଧୀ ଦଳ ବିଜେବି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ  ସିବିଆଇ ତଦନ୍ତ ଦାବି କରିଛି। ଏଥିସହ ରାଜ୍ୟରେ ରାଙ୍ଗିକୁ ରୋକିବା ପାଇଁ ଆଇନ୍ ଆସିବା ଦରକାର ବୋଲି ଦାବି କରିଛନ୍ତି। ରାଗିଙ୍ଗକୁ ରୋକିବା ପାଇଁ କଡ଼ା ଆଇନ୍ ଆସିବା ଦରକାର । ନହେଲେ ଆତ୍ମହତ୍ୟା ଆହୁରି ବଢିବ । ୫ ବର୍ଷରେ ୩ ହଜାର ୧୦୦ ଛାତ୍ର ଓ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ଗୃହରେ ବିଧାୟକ ମୋହନ ମାଝୀ କହିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଜେବି କଲେଜରେ ଯାହା ଘଟିଛି ତାହା ଏକ ସ୍ପର୍ଶକାତର ବିଷୟ। ରାଗିଂ ଘଟଣା ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ଉପରେ ପ୍ରଶ୍ନ ଉଠାଇଛି। ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପାରଗତା ସାମ୍ନାକୁ ଆସିଛି। ରାଜ୍ୟରେ ଶିକ୍ଷା ଅନୁଷ୍ଠାନ ମରଣଯନ୍ତା ପାଲଟିଛି।

ରାଜ୍ୟରେ କେବଳ ବିଜେବି କଲେଜ ନୁହେଁ ଅନ୍ୟ କଲେଜରେ ମଧ୍ୟ ରାଗିଙ୍ଗ ହେଉଛି। ହଷ୍ଟେଲ ଭିତରେ ସିନିୟର ଛାତ୍ରୀ ନିର୍ଯାତନା ଦିଆଯାଉଥିବା ନେଇ ଯେଉଁ ଅଭିଯୋଗ ରହିଛି ତାହା କିପରି ହଷ୍ଟେଲ ସୁପରିଟେଣ୍ଡ ଝୁମୁକି ରଥ ଜାଣିପାରିଲେ ନାହିଁ ବୋଲି ବିଧାୟକ ମୋହନ ମାଝୀ ପ୍ରଶ୍ନ କରିଛନ୍ତି। ରୁଚିକାଙ୍କ ଉପରେ କେଉଁ ତିନି ଜଣ ସିନିୟର ଛାତ୍ରୀ ଚାପ ପକାଉଥିଲେ, କାହିଁକି ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା ଯେଉଁସବୁ ଅବିଯୋଗ ରହିଛି ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେବି ଗୋଟିଏ ନାଁକରା କଲେଜ । ଏହି କଲେଜର ଅନେକ ଖ୍ୟାତି ରହିଛି । ଏପରି ସ୍ଥିତିରେ ଯେଉଁ ଘଟଣା ଘଟିଛି ତାହା ନିନ୍ଦନୀୟ। ଏପରି ଘଟଣା ପାଇଁ କଲେଜ ବଦନାମ ହେଉଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ । କଲେଜ ଏବଂ ଅଭିଭାବକଙ୍କୁ ବସାଇ ବୈଠକ ହେଉ। କଲେଜରେ ଆଣ୍ଟି ରାଗିଂ ରୋକିବାକୁ ସଠିକ ଭାବେ କାମ ହେଉନି । ଏହା କେବଳ କାଗଜ କଲମରେ ସୀମିତ ରହିଛି । ଆଣ୍ଟି ରାଗିଂକୁ ରୋକିବା ପାଇଁ ବୈଠକ କେବେ ବସୁନି । ଜିଲ୍ଲାପାଳ ଏହାର ଚେୟାରମ୍ୟାନ ଥିବାରୁ ବୈଠକ ଡାକି ଏଭଳି ଘଟଣା ବନ୍ଦ କରନ୍ତୁ ।

ଉଲ୍ଲେଖଯୋଗ୍ୟ, ବିଜେବି କଲେଜର ଏହି +୩ ପ୍ରଥମ ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ବିଧାୟକ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହୋ ହାଲ୍ଲା କରିଥିଲେ। ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗକୁ କଂଗ୍ରେସ ଏବଂ ବିଜେବି ବିଧାୟକମାନେ ପ୍ରଶ୍ନକାଳ ସମୟରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ। ଏହା ପରେ ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ଏହି ପ୍ରସଙ୍ଗକୁ ଶୂନ୍ୟକାଳରେ ଉଠାଇବାକୁ କହିଥିଲେ। ପରେ ବାଚସ୍ପତି ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିଥିଲେ।

Leave A Reply

Your email address will not be published.