ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କ ସଫଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ରୋକିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ବିଏସକେୱାଇ ସ୍ୱାସ୍ଥ୍ୟ ଯୋଜନା ସାରା ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବାରେ ସହାୟକ ହୋଇଛି । ତେବେ ବିଜେପି ମଧ୍ୟ ଏହାର କଡା ଜବାବ ଦେଇଛି। ରାଜ୍ୟରେ ଦେଖାଦେଇଥିବା ଜଣ୍ଡିସ ଭଳି ଆତଙ୍କ କାହାର ବିଫଳତା ବୋଲି ପ୍ରଶ୍ନ କରିଛି ବିରୋଧୀ ବିଜେପି।
ବିଏସକେୱାଇ ଯୋଜନାରେ ବ୍ୟକ୍ତିମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପାଉଥିବା ବେଳେ ମହିଳାମାନେ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପାଇଥାନ୍ତି। ତେବେ ଧର୍ମେନ୍ଦ୍ର ପ୍ରଧାନ ଜାଣିଶୁଣି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛନ୍ତି ବୋଲି ବିଜେଡି ଦାବି କରିଛି।
ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକଳାପକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଓଡ଼ିଶାର ଗରିବ ପରିବାର ଯଦି ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡରୁ ଉପକୃତ ହୁଅନ୍ତି ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅସୁବିଧା କ’ଣ? ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଲକ୍ଷ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟସେବା ଉପରେ ବିପଦ ସୃଷ୍ଟି କରୁଛି ବୋଲି ସସ୍ମିତ ପାତ୍ର କହିଛନ୍ତି।
କେବଳ ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ୧୦ ବର୍ଷର କାର୍ଯ୍ୟକାଳର ରେକର୍ଡକୁ ସସ୍ମିତ ପାତ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶିକ୍ଷାମନ୍ତ୍ରୀ ନିଜ ଅଞ୍ଚଳର ଲୋକଙ୍କ ପାଇଁ କୌଣସି ଗୁରୁତ୍ବପୂର୍ଣ୍ଣ କଲ୍ୟାଣକାରୀ ପ୍ରକଳ୍ପ ଆରମ୍ଭ କରିବାରେ ବିଫଳ ହୋଇଛନ୍ତି। ନିଜ ତ୍ରୁଟି ଲୁଚାଇବା ପାଇଁ ମିଥ୍ୟା ପ୍ରଚାର ରୁ ଦୂରେଇ ରହିବାକୁ ବିଜେଡି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି।
କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥର ଅସମ୍ପୂର୍ଣ୍ଣ ନିର୍ମାଣ ସମ୍ପର୍କରେ ସସ୍ମିତ ପାତ୍ର ଆଲୋକପାତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଭାବରେ ଏକ ପ୍ରମୁଖ ପଦବୀରେ ଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ସୁନିଶ୍ଚିତ କରିନାହାଁନ୍ତି । ଏହି ରାସ୍ତା ଧର୍ମେନ୍ଦ୍ର ପ୍ରଧାନଙ୍କ ଅଞ୍ଚଳ ଦେଇ ଯାଇଥିବା ବେଳେ ଏହାର ଅସମ୍ପୂର୍ଣ୍ଣ ଅବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ବିଜେଡି ଦାବି କରିଛି।
ଅନ୍ଯପଟେ ସସ୍ମିତ ପାତ୍ରଙ୍କ ଏହା ଅହଙ୍କାର ନା ଅଜ୍ଞତା ବୋଲି ପ୍ରଶ୍ନ କରିଛି ବିଜେପି । ୨୪ ବର୍ଷରେ ସରକାର କଣ କରିଛି ବିଜେଡି ତାହାର ଉତ୍ତର ଦେଉନାହାନ୍ତି ହେଲେ ୧୦ ବର୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ କରିଛନ୍ତି ତାହାକୁ କାହିଁକି ଗ୍ରହଣ କରିପାରୁନି ବିଜେଡି ? ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ଓଡ଼ିଶାକୁ ବହୁ ସୁବିଧା ମିଳିଛି। ବିଜେପି କ୍ଷମତାକୁ ଆସିଲେ ଏପରି ସ୍ବାସ୍ଥ୍ୟସେବା ଯୋଗାଇବ ଯେ ସାଧାରଣ ଲୋକୋ ଙ୍କୁ ଆଉ ବେସରକାରୀ ଡାକ୍ତରଖାନା ଯିବାକୁ ପଡିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା କୁ ନେଇ ୨୪ ବର୍ଷରେ କିଛି କାମ କରିନାହିଁ । ବିଜେପି କହିଛି, ରାଉରକେଲା ଓ ସମ୍ବଲପୁର ଭଳି ସହରରେ ଆଜି ଜଣ୍ଡିସ ହେଉଛି । ଏହା ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
Comments are closed.