Latest Odisha News

BREAKING NEWS

ଜଗତସିଂହପୁରରେ ବିଜେଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ନିନ୍ଦା କଲେ ନବୀନ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଜଣେ ମହିଳା ବିଜେଡ଼ି କର୍ମୀ ତଥା ସାମାଜିକ କର୍ମୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବିଜୁ ଜନତା ଦଳ (ବିଜେଡି) ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି।

ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆଙ୍କୁ ପ୍ରଦାନ କରାଯାଇଥିବା ଏକ ସ୍ମାରକପତ୍ରରେ ବିରୋଧୀ ବିଜେଡି ଦଳ ଦାବି କରିଛି ଯେ ସୋମବାର ରାତିରେ ରଶ୍ମି ପରିଜାଙ୍କୁ ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା।

କିଛି ବ୍ୟକ୍ତି ରଶ୍ମିଙ୍କ ଘରେ ଜୋରଜବରଦସ୍ତ ପ୍ରବେଶ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ତାଙ୍କୁ କେଶ ଧରି ଟଣାଟାଣି କରିବ ସହ କାଠ ବାଡ଼ିରେ ପିଟିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ଏହି ଘଟଣାରେ ତୁରନ୍ତ ନିରପେକ୍ଷ ତଦନ୍ତ କରିବାକୁ ବିଜେଡି ଡିଜିପିଙ୍କୁ ଅନୁରୋଧ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରନ୍ତୁ। ରଶ୍ମି ଏବଂ ତାଙ୍କ ପରିବାରକୁ ପୋଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦଳ ଦାବି କରିଛି।

ସେହିପରି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସେ ଏକ ପୋଷ୍ଟ କରି କହିଛନ୍ତି ଯେ, ଜଗତସିଂହପୁରରେ ବିଜୁ ଜନତା ଦଳର କର୍ମୀ ରଶ୍ମି ପରିଜାଙ୍କ ଉପରେ ହୋଇଥିବା ସଂଘବଦ୍ଧ ମରଣାନ୍ତକ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ମହିଳାଙ୍କ ଉପରେ ବଢ଼ୁଥିବା ଏପରି ଘଟଣା କଦାପି ଗ୍ରହଣୀୟ ନୁହେଁ।

ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତିର ଏ ବାତାବରଣ ଜନମାନସକୁ ଆତଙ୍କିତ କରୁଛି। ଅସାମାଜିକ ବ୍ୟକ୍ତି ଅପରାଧ ଘଟାଇବାକୁ ଭୟ କରୁନାହାନ୍ତି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଛି।ସରକାର ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଜାୟ ରଖନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।

 

Comments are closed.