Latest Odisha News

BREAKING NEWS

ରାଜଧାନୀରେ ପଦ୍ମପୁରର ତାତି: ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁରରେ ଗୋଟିଏ ପଟେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି ଅନ୍ୟପଟେ ରାଜଧାନୀରେ ବିଜେଡି ଓ ବିଜେପି ନେତା ପରସ୍ପର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଦୌଡିବା ଜୋରଦାର କରିଛନ୍ତି। ଭୋଟ୍ ବିକଳରେ ପଦ୍ମପୁରରେ ବିଜେପି ହିଂସା କରୁଛି ବୋଲି ବିଜେଡି ଅଭିଯୋଗ କରିଥିବା ବେଳେ ବିଜେପି କହିଛି ଭୋଟ୍ ହତାଇବୋକୁ ପୋଷ୍ଟାଲ ଭୋଟରେ ଗଡବଡ କରିବାକୁ ବିଜେଡି ମସୁଧା କରୁଛି।

ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ। ଏଥିସହ ଦଳର ଦାବିପତ୍ର ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ୍ କରିଥିଲେ। ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦହିଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ସଞ୍ଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାକୁ ନେଇ ସିଇଓଙ୍କୁ ଭେଟିବାର ୪୮ ଘଣ୍ଟା ପୁରିଛି। ହେଲେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବିଜେପିର ଜଣେ ବ୍ୟକ୍ତିଙ୍କ ଇସାରାରେ ଏପରି ହିଂସା ଘଟୁଥିବା ବିଜେଡି ଅଭିଯୋଗ କରିଛି। ରିଙ୍କୁ ମେହେର ଓ ତାଙ୍କ ସାଥୀ ମାନେ ଟାର୍ଗେଟ କରି ଆକ୍ରମଣ କରିଥିଲେ ବୋଲି ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଦାବି କରିଛି। ଯେଉଁଥିରେ ସଞ୍ଜୁ ବରିହା ଏବେ ଭୀମସାରରେ ଚିକିତ୍ସିତ ହେଉଥିବା କହିଛି ବିଜେଡି। ସେପଟେ ରିଙ୍କୁ ମେହେରଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେଡି। ନିର୍ବାଚନ ବେଳେ ହିଂସା ନ କରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବାକୁ ବିଜେଡି ଅପିଲ୍ କରିଛି।

ସେହିପରି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପୋଷ୍ଟାଲ ବାଲାଟରେ ହେରାଫେରି କରୁଥିବା ଅଭିଯୋଗ କରିଛି ବିଜେପି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି। ଆଉ ପ୍ରମାଣ ସ୍ୱରୂପ ଏକ ଭିଡିଓ ଫୁଟେଜକୁ ବିଜେପି ନିର୍ବାଚନ ଅଧିକାରୀଙ୍କୁ ଦେଇଥିବା କହିଛି।

ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୫ ହଜାର ପୋଷ୍ଟାଲ ବାଲାଟ୍ ଭୋଟ୍ ରହିଛି। ଯାହାକୁ କି ବିଭିନ୍ନ ସରକାରୀ ଅଧିକାରୀ ବିଜେଡିର ହାତବରସି ସାଜି ସେଥିରେ ଅନିୟମିତତା କରୁଛନ୍ତି। ତେଣୁ ଆଉ ଥରେ ରିପୋଲିଂ ହେଉ ବୋଲି ଦାବି କରିଛି ବିଜେପି।

Leave A Reply

Your email address will not be published.