Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ବିଜେଡି ନିଯୁକ୍ତ କଲା ଆଉ ୬ ପର୍ଯ୍ୟବେକ୍ଷକ, ଭୁବନେଶ୍ବରକୁ ଫୋକସ କରିବେ ଶ୍ରୀମୟୀ

ଭୁବନେଶ୍ୱର: ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ଗୁରୁବାର ଆଉ ୬ ଜଣ ନେତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜଙ୍କୁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ଦଳ। ଦଳର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ଆସନ ଦାୟିତ୍ୱ ଦିଆଯାଇଛି। ଯେଉଁଠି ବିଜେପିର ଅନ୍ୟତମ ଫାୟାରବ୍ରାଣ୍ଡ ନେତ୍ରୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ରହିଛନ୍ତି। ଆଗାମୀ ନିର୍ବାଚନ ପାଇଁ ବିଜେଡି କାହାକୁ ଏହି ଆସନରେ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଶ୍ରୀମୟୀଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି।

ସେହିପରି ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତଙ୍କୁ ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ତେଲକୋଇ ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ କୋରେଇ ବିଧାୟକ ଅଶୋକ ବଳ ରହିବେ। ସେହିପରି ପରଜଙ୍ଗ ଓ କାମାକ୍ଷାନଗର ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଆଶିଷ ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତି ଦିଆଯାଇଛି। କୁଞ୍ଜ ବିହାରୀ ଦାସଙ୍କୁ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ବିଜେଡି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିୟୁକ୍ତ କରିଥିଲା।

ଅନ୍ୟପଟେ ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର କରିଥିଲେ।

ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ଏବଂ ନୀଳମାଧବ ରାଉତଙ୍କ ବହିଷ୍କାର ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ସଙ୍ଗଠନକୁ ମଜଭୁତ କରିବା ପାଇଁ ଏକ ପଦକ୍ଷେପ ବୋଲି କୁହାଯାଉଛି। ଓଡ଼ିଶାରେ ଲଗାତାର ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବାକୁ ଦଳ ଲକ୍ଷ୍ୟ ରଖିଛି।

୨୦୦୦ ମସିହାରୁ ବିଜେଡି ଓଡ଼ିଶାରେ ଶାସନ କରୁଛି। ଏହାର ନେତୃତ୍ୱ ନେଉଛନ୍ତି ନବୀନ ପଟ୍ଟନାୟକ, ଯିଏ ଦୀର୍ଘ ୨୩ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଦଳ ଭାରତୀୟ ଜନତା ପାର୍ଟିକୁ କଡା ଟକ୍କର ଦେବ ବୋଲି ଆଶା କରାୟାଉଛି। ଓଡ଼ିଶାର ବିଜେପି ତଥା କେନ୍ଦ୍ରର ଶାସକ ଦଳ ବିଜେପି ହେଉଛି ବିଜେଡିର ଏବେ  ମୁଖ୍ୟ ବିରୋଧୀ ଦଳ।

Comments are closed.