Latest Odisha News

BREAKING NEWS

ଅଶ୍ବିନୀଙ୍କୁ ସମର୍ଥନ କଲା ବିଜେଡି, ବ୍ୟାକଫୁଟରେ ବିଜେପି!

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପିର ବିଧାୟକ ସଂଖ୍ୟା କମ୍ ଥିଲେ ମଧ୍ୟ ୨୦୧୯ର ଫର୍ମୁଲାରେ ୨୦୨୨ରେ ପୁଣିଥରେ ବିଜେପି ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ନବ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। କିନ୍ତୁ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। କଂଗ୍ରେସ ବିଜେଡି ଓ ବିଜେପିକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କହି ସମାଲୋଚନା କରିବା ଆରମ୍ଭ କରିଛି। ଅନ୍ୟପଟେ ବିଜେପି କହିଛି ସେ ସମର୍ଥନ ମାଗି ନାହିଁ ବରଂ ପ୍ରାର୍ଥୀ ଦେଖି ବିଜେଡି ସମର୍ଥନ କରିଛି।

ତେବେ ଏହି ଭିତିରିଆ ଦୋସ୍ତି ପଛରେ ଅନେକ ଗୁମର ରହିଛି ବୋଲି ଚର୍ଚ୍ଚା ହେଉଛି। ଏବେ ଗାଁ ଦାଣ୍ଡରେ କଥା ପଡିଲାଣି ଯେ ଯଦି ଦିଲ୍ଲୀରେ ବିଜେଡି ଓ ବିଜେପି କୋଳାକାଳି ତାହେଲେ ଓଡ଼ିଶାରେ କାହିଁ ଦୁଇ ଦଳ ମଧ୍ୟରେ ଏତେ କଳି? ଏହି ଚର୍ଚ୍ଚାର ପ୍ରଭାବ ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ ପଡ଼ିବ ବୋଲି କୁହାଯାଉଛି।

ତେଣୁ ଆଗାମୀ ନିର୍ବାଚନରେ କିଏ ପାଇବ ଅଧିକ ଲାଭ । ଯଦି ବିଜେପିର ଗୋଟିଏ ସାଂସଦ ପଦ ପାଇଁ ବିଜେଡି ବିଧାୟକ ସମର୍ଥନ କରୁଛନ୍ତି ତାହେଲେ ଆଗାମୀ ଦିନରେ ଓଡ଼ିଶାରେ ବିଜେଡି ସରକାର ଗଢ଼ିବାକୁ ହେଲେ ଓପର ସ୍ତରରେ ବିଜେପିର ସମର୍ଥନ ଯେ ନରହିବ ତାହା ବା କିଏ କହିବ । କାରଣ ନିକଟରେ ସମ୍ବଲପୁର ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ମିତ୍ର ବୋଲି କହି ସାରିଛନ୍ତି।

ତେଣୁ ଏହି ମର୍ମରେ ବିଜେପି ରାଜ୍ୟରେ ଶାସକ ଦଳ ବିଜେଡି ବିରୋଧରେ ଯେଉଁ ଗର୍ଜନ କରୁଛି ତାହା ଏକ ପ୍ରକାର ନାଟକ ବୋଲି କଂଗ୍ରେସ କହିଲାଣି। ଏବେ ଉଭୟ ବିଜେଡି ଓ ବିଜେପିକୁ କଂଗ୍ରେସ ଗୋଟିଏ ପଟରେ ରଖି ସମାଲୋଚନା କରୁଛି। ଆଗକୁ ଦଳର ଦିଲ୍ଲୀ ନେତା ଆସି ବିଜେଡି ଓ ବିଜେପିକୁ ଟାର୍ଗେଟ କରିବାର ଯୋଜନା ରହିଛି। ଏପରି ସ୍ଥିତିରେ ଆଗାମୀ ନିର୍ବାଚନ ବେଳେ କିଏ ଘାଟାରେ ତାହା ଏବେ ଚର୍ଚ୍ଚାରେ।

Leave A Reply

Your email address will not be published.