Latest Odisha News

BREAKING NEWS

ଚାଉଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ; ବିଜେପି କହିଲା-ହନୁ ମଲାବେଳେ ସତ ମାନିଛି

ଭୁବନେଶ୍ୱର:କିଏ ଦେଉଛି ମାଗଣା ଚାଉଳ ? କିଏ ନେଉଛି ବାହାବା ? ଏହାର ଉତ୍ତରକୁ ଦୁଇ ଦଳ ଭିତରେ ଛିଣ୍ଡୁନି ବିବାଦ । ତେବେ ଆଜି ଏହି ପ୍ରଶ୍ନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ ବିଜେଡି-ବିଜେପି । ମାଗଣା ଚାଉଳ ବଣ୍ଟନକୁ ନେଇ ଆଜି ବିଜେଡି ଉପରେ ବର୍ଷିଛି ବିଜେପି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକ ମୋଟ ୧୦ କେଜି ଲେଖା ଚାଉଳ ପାଉଥିଲେ । ହେଲେ ଏହି ଯୋଜନା ବନ୍ଦ କରି ରାଜ୍ୟ ସରକାରଙ୍କ ବିନା ସହଭାଗିତାରେ କେନ୍ଦ୍ର ମାଗଣା ଚାଉଳ ଦେବାକୁ ଘୋଷଣା କରିଛି । କେନ୍ଦ୍ର ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ ଲୋକମାନେ ବର୍ଷକ ଯାଏଁ ମାସିକ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ସଂପୂର୍ଣ୍ଣ ମାଗଣାରେ ପାଇବେ। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରି ବିଜେପି ଉପରେ ବର୍ଷିଥିଲା ବିଜେଡି।

ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ଆକ୍ଷେପ କରିଥିବାବେଳେ ଏହାକୁ ଗଣ୍ଠି କରିଛି ବିଜେପି । ସସ୍ମିତଙ୍କ କଥାକୁ ଧରି  ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ସସ୍ମିତ କହିଥିଲେ,  ରାଜ୍ୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ ହେବା ପରଠୁ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୧୦ କେଜି ଲେଖାଏଁ ଚାଉଳ ମିଳୁଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଓ କୋଭିଡ ସମୟରେ ୨୮ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ମିଶି ସମୁଦାୟ ୧୦ କେଜି ଚାଉଳ ପାଉଥିଲେ ପ୍ରତି ହିତାଧିକାରୀ। ହେଲେ ଏହା ବନ୍ଦ ହେବା ପରେ ଓଡ଼ିଶାର ଗରିବ ଲୋକ ୫ କେଜି ଲେଖାଏଁ ଚାଉଳରୁ ବଞ୍ଚିତ ହେଉଛନ୍ତି ।  ଏହିଯୋଜନାକୁ  ଚଳିତ ମାସରୁ ପୁଣି ଥରେ ଆରମ୍ଭ କରିବାକୁ ସେ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ।

ଏହି କଥାକୁ ନେଇ ବିଜେପି କହିଛି  ବିଜେଡି ଶେଷରେ ସତ ମାନିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ହନୁ ମଲା ବେଳେ ସତ କହିଛି। ସସ୍ମିତ ବାବୁ ଆଜି ସତ ସ୍ୱୀକାର କରିଛନ୍ତି। ପୂର୍ବ ମାଗଣା ଚାଉଳକୁ ନେଇ ରାଜ୍ୟ ସରକାର ନିଜର ଯେଉଁ ମିଛ ପ୍ରଚାର କରୁଥିଲେ ତାହା ଆଜି ଧରାପଡ଼ି ଯାଇଛି ।

ଏଠି କହିରଖିବୁ,  କେନ୍ଦ୍ର ସରକାର ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେବେ। ଚାଉଳ ଦେବା ନିମନ୍ତେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଦେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କର  ୧୨୦୦ କୋଟି ଟଙ୍କା ବଞ୍ଚିଯିବ।

ଆଗକୁ ଅଛି ନିର୍ବାଚନ । ମାଗଣା ଚାଉଳ ଦେଇ କେନ୍ଦ୍ର ସରକାର ଭୋଟରଙ୍କୁ ଟାଣିବାର ଚେଷ୍ଟା କରୁଛନ୍ତି ।  ଏହା ପରେ ବିଜେଡି କି ନୂଆ ରଣନୀତି କରିବ ? ନୂଆ ଯୋଜନା ନାଁରେ ରାଜ୍ୟ ସରକାର ଦେବେ କି ମାଗଣା ଚାଉଳ ?   ନାଁ ବିଜେପିକୁ ଟକ୍କର ଦେବା ପାଇଁ ଖେଳିବେ ନୂଆ ଚାଲ ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ।

 

Leave A Reply

Your email address will not be published.