Latest Odisha News

ସମଦୂରତ୍ୱ ନୁହେଁ ସମର୍ପଣର ରାଜନୀତି ଚାଲିଛି

ଭୁବନେଶ୍ୱର : ଏନଡିଏରେ ସାମିଲ୍ ପାଇଁ ବିଜେଡିକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ ପରେ ରାଜ୍ୟରେ ରାଜନୀତି ଜୋର୍ ଧରିଛି  । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ଓ ବିଜେପି ବିଧାୟକ ତଥା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି  । ଓଡ଼ିଶାରେ ବିଜେପି –ବିଜେଡିର କିପରି ସମ୍ପର୍କ ଅଛି ସେହି  ବିଷୟରେ ଓଡିଶା ଆମ ଆଦମୀ ପାର୍ଟିର ଆବାହକ ନିଶିକାନ୍ତ ମହାପାତ୍ର ଏକ ସାମ୍ବଦିକ ସମ୍ମିଳନି କରି ଉଭୟ ଦଳଙ୍କ ଉପରେ ବର୍ଷିଥିଲେ ।

ଆମ ଆଦମୀ ପାର୍ଟି ବାରମ୍ବାର ଓଡ଼ିଶାରେ ବିଜେପି-ବିଜେଡିର ମିଳିତ ରାଜନୀତିକୁ ଲୋକଙ୍କ ସମ୍ମୁଖରେ ଉନ୍ମୋଚିତ କରିଛି  । ମାତ୍ର ବିଜୁ ଜନତା ଦଳ ରାଜନୀତିରେ ସମଦୁରତ୍ଵ କଥା କହି ଲୋକଙ୍କୁ ଠକିଛି  । ସେହିପରି ଭାରତୀୟ ଜନତା ପାର୍ଟି ନେତା ଅମିତ ଶାହା ନବୀନ ସରକାରକୁ ପୋଡା ଟ୍ରାନ୍ସଫର୍ମର କହି ନିଜକୁ ବିରୋଧୀ ଭାବରେ ପରିଚୟ ଦେବାର ଉଦ୍ୟମ କରିଛନ୍ତି  । ମାତ୍ର ଏହି ପୋଡା ଟ୍ରାନ୍ସଫର୍ମର ବିଜେପି ପାଇଁ କେତେ ଲୋଡ଼ା ତାହା କେନ୍ଦ୍ରୀୟ ମନ୍ତ୍ରୀ  ତଥା ଏନଡ଼ିଏ ନେତା ରାମଦାସ ଅଠାୱାଲେଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି  ।  ଅଠାୱାଲେ ବିଜେଡି ଏନଡ଼ିଏରେ ନଥାଇ ମଧ୍ୟ ନରେନ୍ଦ୍ର ମୋଦି ସରକାରଙ୍କର ସବୁଠାରୁ ବିଶ୍ଵସ୍ଥ ଏବଂ ପାର୍ଲିଆମେଣ୍ଟରେ ସବୁଠାରୁ ଭରଷା ଯୋଗ୍ୟ ଦଳ ବୋଲି ଦାବି କରିଛନ୍ତି  । ତାଙ୍କ ମତରେ ବିଜେଡି ବାହାରେ ରହି ସମର୍ଥନ କରିବା ଅପେକ୍ଷା ଏନଡ଼ିଏ ରେ ସାମିଲ ହୋଇ ରହିଲେ ଓଡିଶାକୁ ଅଧିକ ଲାଭ ହେବ  । ଏହି ଦାବିର ଯଥାର୍ଥତା ପାର୍ଲିଆମେଣ୍ଟରେ ସମସ୍ତ ବିଲ ପାସ କରିବାରେ ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଯେଉଁପରି ସହଯୋଗ କରିଛି ସେଥିରୁ ମଧ୍ୟ ଜଣାପଡୁଛି  । ତେଣୁ ଲୁଚାଛୁପା ସମ୍ପର୍କକୁ ଛାଡି ସିଧାସଳଖ ଏନଡ଼ିଏ ରେ ସାମିଲ ହେବା ପାଇଁ ସେ ନିମନ୍ତ୍ରଣ ଦେଇଛନ୍ତି  ।

ଏହା ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତିର ଆରମ୍ଭ  ।  ପରିସ୍ଥିତିରେ ଆପ ଓଡ଼ିଶାରେ ବିଜେପି -ବିଜେଡିର ମିଳିତ ସରକାର ଚାଲିଛି ବୋଲି ଯେଉଁ ଦାବି କରୁଛି ତାହା ପ୍ରମାଣିତ ହେଉଛି  । ତେଣୁ ନବୀନଙ୍କ ରାଜନୀତି ସମଦୂରତ୍ୱ ବଦଳରେ ସମର୍ପଣର ରାଜନୀତି ବୋଲି ଜନତା ଜାଣିବା ଉଚିତ ବୋଲି ଓଡିଶା ଆମ ଆଦମୀ ପାର୍ଟିର ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି  ।

Leave A Reply

Your email address will not be published.