Latest Odisha News

BREAKING NEWS

ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ନାମାଙ୍କନ ଦାଖଲ କଲେ ଦୀପାଳି

ଝାରସୁଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସମର୍ଥକଙ୍କ ଗହଣରେ  ଉପଜିଲ୍ଲାପାଳ ଅଫିସ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ମେ’ ୧୦ ତାରିଖ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି । ଆଜି ବିଜେଡି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ଦୀପାଳି ମା’ ପାଟଣେଶ୍ୱରୀ ମନ୍ଦିରକୁ ଯାଇ ପୂଜର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ଝାରସୁଗୁଡ଼ାର ମନମୋହନ ସ୍କୁଲ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା ।

 

ହଜାର ହଜାର ସମର୍ଥକଙ୍କ ଗହଣରେ ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ମନ୍ତ୍ରୀ ରୀତା ସାହୁ, ବିଧାୟକ ପ୍ରତାପ ଜେନା, ଶାରଦା ନାଏକ, ଅଳକା ମହାନ୍ତି ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହ ଶୋଭାଯାତ୍ରାରେ  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦୀପାଳି ।

ପୂର୍ବରୁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିସାରିଛନ୍ତି । କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲବେଳେ ଦଳ ନିଜର ଶକ୍ତି ଦେଖାଇ ଥିବାବେଳେ ବିଜେଡି ବି ପଛରେ ପଡି ନ ଥିଲା ।   ଦୀପାଳିଙ୍କ ନାମାଙ୍କନ ପାଇଁ ପୂର୍ବରୁ ବରିଷ୍ଠ ବିଜେଡି ନେତା ଯଥା ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଝାରସୁଗୁଡାରେ ପହଞ୍ଚିଥିଲେ । ଏହାବ୍ୟତୀତ  ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ସମେତ ବ୍ରଜରାଜନଗର, ରେଙ୍ଗାଲି, ସୁନ୍ଦରଗଡ଼, କୁଚିଣ୍ଡା, ସମ୍ବଲପୁର ଆଦି ଆଖପାଖ ନିର୍ବାଚନ ମଣ୍ଡଳୀରୁ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ।

ଏହି ଉପନିର୍ବାଚନ ପାଇଁ  ଗତ ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଗତ ୧୭ ତାରିଖରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାପୂର୍ବରୁ ୧୫ ତାରିଖରେ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ।

Leave A Reply

Your email address will not be published.