Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତି ସରଗରମ ! ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର

ମହାରାଷ୍ଟ୍ର : ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ମଙ୍ଗଳବାର ଚର୍ଚ୍ଚା ଜୋର ଧରିବା ପରେ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । କୁହାଯାଉଛି ଏନସିପି ବିଧାୟକ ଅଜିତ ପାୱାର ତାଙ୍କ ଦଳର ପ୍ରାୟ ୩୦-୪୦ ବିଧାୟକଙ୍କ ସହ ବିଜେପି-ସିନ୍ଦେ ସରକାରରେ ସାମିଲ ହେବେ। ଏହି ପରିପ୍ରେକ୍ଷୀରେ ଏନସିପି ବିଧାୟକ ଅଜିତ ପାୱାର ମଙ୍ଗଳବାର ଦିନ ବିଧାୟକଙ୍କ ବୈଠକ ଡାକିଥିବା ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ୫୩ ବିରୋଧୀ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୩୪ ବିଧାୟକ ଅଜିତ ପାୱାର ବିଜେପିରେ ଯୋଗ ଦେବା ସଂକ୍ରାନ୍ତ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। ମାନେ ଏନସିପିର ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ମଧ୍ୟ ଅଜିତ ପାୱାରଙ୍କୁ ସମର୍ଥନ ଜଣାଇଛନ୍ତି। ପ୍ରଫୁଲ ପଟେଲ, ସୁନୀଲ ତତକରେ, ଛଗନ ଭୂଜବଳ, ଧନଞ୍ଜୟ ମୁଣ୍ଡେଙ୍କ ସମେତ ବହୁ ଜଣାଶୁଣା ଚେହେରା ଆହୁରି ଅନେକ ପ୍ରମୁଖ ନେତା ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। ସେପଟେ କିନ୍ତୁ ରାଜ୍ୟ ଏନସିପି ସଭାପତି ଜୟନ୍ତ ପାଟିଲ ଏବଂ ଦଳୀୟ ନେତା ଜିତେନ୍ଦ୍ର ଅୱଧ ଅଜିତଙ୍କ ଏହି ନିଷ୍ପତ୍ତିକୁ ଆଦୌ ସମର୍ଥନ କରିନାହାନ୍ତି। ଏନେଇ ସେମାନେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟି ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି ଓ ଶରଦ ପାୱାରଙ୍କ ବିନା ଅନୁମତିରେ ଅଜିତ ପାୱାର ବିଜେପିରେ ଯୋଗ ଦେବେନି ବୋଲି ସୂଚନା ମିଳିଛି। ଏସବୁ ଭିତରେ ଅଜିତ ପାୱାର କିନ୍ତୁ ଏହାକୁ ଏକ ଗୁଜବ କହିବା ସହ ଘଟଣାକୁ ଅସ୍ବୀକାର କରିଛନ୍ତି । ଯଦିଓ ସୋସିଆଲ ମିଡିଆ ପ୍ରୋଫାଇଲରେ ସେ ନିଜକୁ ଏନସିପି ନେତା ବୋଲି ଉଲ୍ଲେଖ କରିଛନ୍ତି ତେବେ ତାଙ୍କ ଟ୍ବିଟର ଆକାଉଣ୍ଟରୁ ଏନସିପି ଲୋଗୋ ହଟିଯିବାକୁ ନେଇ ମଧ୍ୟ ଚର୍ଚ୍ଚା ଅଧିକ ଜୋର ଧରିଛି ।

ସେପଟେ କିନ୍ତୁ ଏନସିପି ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବୟାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସୁପ୍ରିୟା କହିଛନ୍ତି ଯେ, ଆଗାମୀ ୧୫ ଦିନ ମଧ୍ୟରେ ଦୁଇଟି ବଡ଼ ରାଜନୈତିକ ଧମାକା ହେବ, ଗୋଟିଏ ଦିଲ୍ଲୀରେ ଏବଂ ଅନ୍ୟଟି ମହାରାଷ୍ଟ୍ରରେ।
ସେହିପରି ରବିବାର ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଥିଲେ, ଏନସିପି ମୁଖ୍ୟ ଶରଦ ପାୱାର ନିକଟରେ ଉଦ୍ଧବ ଠାକରେଙ୍କୁ କହିଥିଲେ ଯେ ତାଙ୍କ ଦଳ କେବେ ବି ବିଜେପି ସହ ହାତ ମିଳାଇବ ନାହିଁ। ତେବେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ନିଜ ନେତାଙ୍କ ପ୍ରତି ବିଶ୍ବସ୍ତ ରୁହନ୍ତୁ ବୋଲି ରାଉତ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ବିଧାନସଭା ନିର୍ବାଚନ ପରେ ଯେତେବେଳେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇନଥିଲେ, ସେତେବେଳେ ଅଜିତ ପାୱାର ଏନସିପିର ପାର୍ଟି ଲାଇନରୁ ଦୂରେଇ ଯାଇ ଫଡନଭିସଙ୍କ ସହ ଶପଥ ନେଇଥିଲେ। କିନ୍ତୁ ୭୨ ଘଣ୍ଟା ମଧ୍ୟରେ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.