ଭୁବନେଶ୍ୱର: ଅତାବିରା ଏନ୍ଏସି ନିର୍ବାଚନରେ ୱାର୍ଡ ନଂ ୫ରୁ ବିଜୁ ଜନତା ଦଳର ପ୍ରାର୍ଥୀ ରାଜୀବ କହରା ମିଥ୍ୟା ଜାତିଗତ (ଅନୁସୂଚିତ ଜାତି) ପ୍ରମାଣ ପତ୍ର ଦେଇ ମନୋନୟନ ପତ୍ର ଦାଖଲ କରିଛନ୍ତି । ଯାହାକୁ କି ପ୍ରତିପକ୍ଷ ପ୍ରାର୍ଥୀ ଶ୍ରୀ ଶକ୍ତିଦେବ ସାହୁ ପ୍ରାର୍ଥପତ୍ର ଯାଂଚ ସମୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆପତ୍ତି କରିଥିଲେ, କିନ୍ତୁ ନିର୍ବାଚନ ଅଧିକାରୀ ତାହାକୁ ବିଚାରକୁ ନନେଇ ରାଜୀବଙ୍କ ପ୍ରାର୍ଥୀପତ୍ରକୁ କାୟମ ରଖିଛନ୍ତି । ଏହା ନିର୍ବାଚନ ଆଇନର ବିରୁଦ୍ଧାଚରଣ କରୁଛି ବୋଲି ବିଜେପି ଅଭିଯୋଗ କରିଛି।
ସୋମବାର ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ପ୍ରାର୍ଥୀପତ୍ର ନାକଚ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ଦଳ।
ଗୋଲକ ମହାପାତ୍ର କହିଛନ୍ତି, ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଶାସକ ଦଳର ହାତବାରିସ ହୋଇ କାମ କରୁଛନ୍ତି ଯାହା ଗଣତନ୍ତ୍ର ପ୍ରତି ବିପଦ । ଶାସକ ବିଜୁ ଜନତା ଦଳ ଅନୈତିକ ଉପାୟରେ କ୍ଷମତା ଦଖଲ କରିବା ପାଇଁ ପ୍ରଶାସକ ଓ ସରକାରୀ ଅଧିକାରୀମାନଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରୁଛି । ଯେଉଁଥିରେ ଅବାଧ, ମୁକ୍ତ ଓ ନୀରପେକ୍ଷ ନିର୍ବାଚନ ହେବା ନେଇ ସନ୍ଦେହ ପ୍ରକାଶ ପାଉଛି ବୋଲି ଗୋଲକ ମହାପାତ୍ର ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର ଓ ଲିଗାଲ ସେଲ୍ ଅଧ୍ୟକ୍ଷ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.