Latest Odisha News

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ ମିଶ୍ର: ବିଜେଡି ମୁଖ୍ୟ ସଚେତକ

ଭୁବନେଶ୍ୱର: ବିଧାନସଭାର ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ଏବେ କିଛିଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି । ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜୁ ଜନତା ଦଳ ଗୁରୁତ୍ୱ ଦେବାକୁ ଚାହୁଁନି। ବରଂ ବିଜେପି ନେତୃବୃନ୍ଦ ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଇବା ଜରୁରୀ ବୋଲି କହିଛନ୍ତି ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।

ଆଜି ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ମୁଦୁଲି କହିଛନ୍ତି, ଜୟନାରାୟଣ ମିଶ୍ରଙ୍କ ନାଁରେ ହତ୍ୟା ଭଳି ୧୬ଟି ସଙ୍ଗୀନ ଅପରାଧିକ ମାମଲା ରୁଜୁ ହୋଇଛି। ଏକ ହତ୍ୟା ମାମଲାରେ ଗିରଫ ହୋଇ ସେ ‌ଦୀର୍ଘଦିନ ଧରି ଜେଲ୍‌ରେ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି । ପୂର୍ବରୁ ସେ ତାଙ୍କରି ବିଜେପି ଦଳର ରାଜ୍ୟ ସଭାପତିଙ୍କୁ ମଧ୍ୟ ଚପଲରେ ବାଡେଇ ଲହୁଲୁହାଣ କରି ଦେଇଥିଲେ ।

ଆଉ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ସର୍ବସମକ୍ଷରେ ଗାଳିଗୁଲଜ ଓ ଧମକଚମକ ଦେବା ସହ ଆକ୍ରମଣ କରିଥିଲେ। ଖାଲି ସେତିକି ନୁହେଁ, ବିଧାନସଭାରେ ତାଙ୍କରି ଦଳର ନେତା ଟଙ୍କା ଖାଇ ମ୍ୟାନେଜ ହେଉଛନ୍ତି ବୋଲି ପାଗଳଙ୍କ ଭଳି ବୟାନ ଦେଇଥିଲେ ଜୟନାରାୟଣ। ତାଙ୍କର ଏଭଳି ଆଚରଣ ଓ ଉଚ୍ଚାରଣକୁ ଦେଖି ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଖୋଦ୍ ବିଜେପି ଦଳର ଅନେକ ନେତା କହୁଛନ୍ତି । ‌

ତେଣୁ ବିଜେପିର ବିଧାୟକ ଓ ନେତୃବୃନ୍ଦଙ୍କୁ ଶ୍ରୀ ମୁଦୁଲି ଅନୁରୋଧ କରିଛନ୍ତି ଯେ ଜୟନାରାୟଣ ମିଶ୍ରଙ୍କଠାରୁ ଆପଣମାନେ ଦୂରେଇ ରୁହନ୍ତୁ। ନହେଲେ କେତେବେଳେ ସେ ଆପଣମାନଙ୍କୁ ମଧ୍ୟ ମାଡ଼ ମାରି ରକ୍ତାକ୍ତ କରି ଦେଇପାରନ୍ତି ।

ବିଜେପି ନେତୃବୃନ୍ଦ ତାଙ୍କୁ ଜୋରଜବରଦସ୍ତ ଡାକ୍ତରଙ୍କ ପାଖକୁ ନେଇ ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଇବାକୁ ଶ୍ରୀ ମୁଦୁଲି ପରାମର୍ଶ ଦେଇଛନ୍ତି । ଶ୍ରୀ ମୁଦୁଲି ଆହୁରି କହିଛନ୍ତି ଯେ ଜୟନାରାୟଣ ମିଶ୍ରଙ୍କ ଭଳି ଜଣେ ପାଗଳ ବ୍ୟକ୍ତିଙ୍କୁ ଆମେ କୌଣସି ଗୁରୁତ୍ୱ ଦେଉନୁ କି ତାଙ୍କର କୌଣସି ବୟାନର ପ୍ରତିକ୍ରିୟା ଦେବାକୁ ଚାହୁଁନୁ ।

Comments are closed.