Latest Odisha News

BREAKING NEWS

ବିଜେଡ଼ି କାଉନସିଲର ହତ୍ୟାକାଣ୍ଡ: ୨ ବିଜେପି ନେତାଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ

କଟକ: ଛତ୍ରପୁର ମ୍ୟୁନିସିପାଲିଟିର ବିଜେଡ଼ି କାଉନସିଲର ଲକ୍ଷ୍ମୀଦ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ୨ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହି ହତ୍ୟାକାଣ୍ଡ ୨୦୧୭ ମସିହାରେ ଘଟିତ ହୋଇଥିଲା ।

ଏହି ମାମଲାରେ ଆସନ୍ତା ଶୁଣାଣି ଏପ୍ରିଲ ୧୯ ତାରିଖରେ ହେବାର ସ୍ଥିର କରି ଅଦାଲତ ଏହି ମାମଲାର କେସ୍ ଡ଼ାଏରୀ ପ୍ରଦାନ କରିବା ନେଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୋଲିସ ଶ୍ରୀ ମହାପାତ୍ର ଓ ଶ୍ରୀ ବକ୍ସିପାତ୍ରଙ୍କୁ ଏହି ମାମଲା ନେଇ ଜାନୁଆରୀ ୨୯ ତାରିଖରେ ନୋଟିସ ପ୍ରଦାନ କରିଥିଲା । ଏହି ନୋଟିସ ଅନୁଯାୟୀ ୨ଜଣଙ୍କୁ ଫେବୃଆରୀ ୭ ଏବଂ ୯ ତାରିଖରେ ଛତ୍ରପୁର ଥାନାରେ ହାଜର ହେବାକୁ ଉଲ୍ଲେଖ ରହିଥିଲା ।

ଏହି ଦୁଇ ଜଣ ବରିଷ୍ଠ ନେତା ସ୍ୱାସ୍ଥ୍ୟଗତ କାରଣରୁ ଥାନାରେ ହାଜର ନହୋଇ ହାଇକୋର୍ଟରେ ଆଗୁଆ ଜାମିନ ଲାଗି ଆବେଦନ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୬ ତାରିଖ ୨୦୧୭ ମସିହାରେ ଛତ୍ରପୁରଠାରେ ପ୍ରଧାନଙ୍କ ବାସଭବନ ସମ୍ମୁଖରେ ଦିନ ଦ୍ୱିପ୍ରହରରେ କେତେକ ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ଦ୍ୱାରା ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଗୁରୁତର ଆହତ ଅବସ୍ଥାରେ ପ୍ରଧାନଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା ।

ପୋଲିସ ସୂଚନାନୁଯାୟୀ, ୨୦୧୪ ମସିହା ଜୁଲାଇ ୧୪ ତାରିଖରେ ଛତ୍ରପୁରଠାରେ ସିପିଆଇ ସମର୍ଥକ ସୁକୁରୁ ବେହେରା ହତ୍ୟାକାଣ୍ଡ ଘଟଣାରେ ପ୍ରଧାନ ଅନ୍ୟତମ ଅଭିଯୁକ୍ତ ଥିଲେ ।

Leave A Reply

Your email address will not be published.