Latest Odisha News

BREAKING NEWS

ଓଡ଼ିଶା ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ବିରୋଧୀ ଦଳ ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି । ମିଛର ଆଶ୍ରୟ ନେଇ ବିରୋଧୀ ଦଳ ନେତା ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି । କିନ୍ତୁ ମିଛକୁ ରଣନୀତି କରି ବିରୋଧୀ ଦଳ କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ।  ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଏଭଳି ଜବାବ ଦେଇଛି ବିଜୁ ଜନତା ଦଳ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି, ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ନୁହନ୍ତି, ସେ  ଜଣେ ଓଡ଼ିଶା ବିରୋଧୀ ନେତା । ସେ ଯେଉଁଭଳି ଟିପ୍ପଣୀ ଦେଉଛନ୍ତି, ଏଥିରୁ ସ୍ପଷ୍ଟ ଯେ ଜଣେ ଓଡ଼ିଆ ହୋଇ ମଧ୍ୟ ସେ ଓଡ଼ିଶାର ଉନ୍ନତି ଚାହାନ୍ତି ନାହିଁ । ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର କୌଣସି ଦରଦ ନାହିଁ । ବିଧାନସଭା ଭିତରେ ହେଉ କି ବାହାରେ; ସଦାବେଳେ କେବଳ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସେ ମନ୍ତବ୍ୟ ଦିଅନ୍ତି ଏବଂ ଓଡ଼ିଶାକୁ ନିନ୍ଦିତ କରିବାର କୌଣସି ସୁଯୋଗ ହାତ ଛଡ଼ା କରନ୍ତି ନାହିଁ ।

ଓଡ଼ିଶା ବିଜେପିକୁ ଆମେ କହିବାକୁ ଚାହୁଁ; ଆପଣ ନିର୍ଲଜ୍ଜ ଭାବେ ମିଛ କହୁଛନ୍ତି । ମାତ୍ର ବାରମ୍ବାର ଯେତେ ମିଛ କହିଲେ ମଧ୍ୟ ମିଛ କେବେ ସତ ପାଲଟିଯିବ ନାହିଁ । ଓଡ଼ିଶାବାସୀ ସବୁ ଜାଣନ୍ତି ଏବଂ ଯଥେଷ୍ଟ ସଚେତନ ଅଛନ୍ତି । ଆପଣ ଏଭଳି ବାରମ୍ବାର ମିଛ କହି ଚାଲିଥିବାରୁ ଲୋକଙ୍କ ବିଶ୍ୱାସ ଜିତିବାରେ ସମର୍ଥ ହେଉ ନାହାନ୍ତି ।

ଆମେ ମଧ୍ୟ ଏହା ବିଶ୍ୱାସ କରୁ ଯେ ଗଣତନ୍ତ୍ରରେ ସୁସ୍ଥ ବିରୋଧୀଦଳର ଆବଶ୍ୟକତା ରହିଛି । ମାତ୍ର ମିଛ କେବେ ବି ଏକ ସୁସ୍ଥ ବିରୋଧୀ ଦଳର ରଣନୀତି ହୋଇ ପାରିବ ନାହିଁ । ବିରୋଧୀ ଦଳ ନେତା ହେଉଛନ୍ତି ଓଡ଼ିଶାରେ ଅରାଜକତାର ପ୍ରତୀକ । ଆଇନର ଫାଶରୁ ମୁକୁଳିବା ପାଇଁ ସେ କେବଳ କାର୍ଯ୍ୟାନୁଷ୍ଠାନକୁ ବିଳମ୍ବ କରିବାର କୌଶଳ  ଆପଣେଇଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି ।

Leave A Reply

Your email address will not be published.