ବ୍ରହ୍ମପୁର: ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ପରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି।
ଏଥିସହିତ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଅକ୍ଟୋବର ୬ ରାତିରେ ପୀତବାସ ପଣ୍ଡାଙ୍କୁ ଗୁଲିମାରି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଏମସି ମେୟର ଶିବ ଶଙ୍କର ଦାଶ ଏବଂ ବିଜେଡି କର୍ପୋରେଟର ମଳୟ ବିସୋଇ ସାମିଲ ଅଛନ୍ତି।
ଏନେଇ ଦଳର ଉପସଭାପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି ଅଭିଯୋଗ କରି କହିଛନ୍ତି ଯେ ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀଙ୍କୁ ରାଜ୍ୟ ସରକାର ବଞ୍ଚାଇବାକୁ ଯାଇ ବିକ୍ରମ ପଣ୍ଡାକୁ ଚକ୍ରାନ୍ତ କରି ଫସାଯାଇଛି। ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥାଇ ମଧ୍ୟ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ମିଛ କାହାଣୀ ଶୁଣାଉଛି।
ପ୍ରମିଳା ମଲ୍ଲିକ ଆହୁରି ମଧ୍ୟ କହିଥିଲେ, ଗତ ୧୬ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି । ଗଞ୍ଜାମ ଜିଲ୍ଲାରେ ୧୫୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୧୨୮ଟି ହତ୍ୟା ଘଟିଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା କେବଳ ଓଡିଶା ନୁହେଁ ସମଗ୍ର ଦେଶ ଓ ବିଶ୍ୱରେ ଚର୍ଚ୍ଚିତ ଘଟଣା ପାଲଟିଥିଲା । ସମଗ୍ର ଜିଲ୍ଲାରେ ବିଜେପି ସରକାର ସମୟରେ ୧୮୨୩ଟି ମହିଳା ନିର୍ଯାତନା ମାମଲା ହୋଇଛି । ଏହାଛଡା, ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଚାଲାଣ ଶୀର୍ଷରେ ପହଁଚିଛି । ଏହି ଚୋରା ବାଲି କାରବାର ନେଇ ଅନେକ ହିଂସାକାଣ୍ଡ ଘଟିଛି । ଏହି ଚୋରା ବାଲି କାରବାରରେ ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ରାଜନୈତିକ ଉଦ୍ଦେଶ୍ୟ ରଖି ନେତା ମାନଙ୍କୁ ଟାର୍ଗେଟ କରିବା ବିଜେପିର ପୁରୁଣା ଅଭ୍ୟାସ।
Comments are closed.