Latest Odisha News

BREAKING NEWS

ଦାମଙ୍କ ପ୍ରଳାପକୁ ଓଡ଼ିଶାବାସୀ ଗ୍ରହଣ କରୁନାହାନ୍ତି: ବିଜେଡ଼ି

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେଡ଼ିରୁ ବହିଷ୍କୃତ ହେବାପରେ ଦଳ ବିରୋଧରେ ବିଷୋଦଗାର କରିବାରେ ଲାଗିଛନ୍ତି । ଆଜି ଗଣମାଧ୍ୟମ ଆଗରେ ମଧ୍ୟ ଦାମୋଦର ରାଉତ କହିଛନ୍ତି ସେ କୋøଣସି ଦଳର ଟିକେଟରୁ ନୁହେଁ ବରଂ ଏକାକୀ ନିର୍ବାଚନ ଲଢିବେ । ଦଳରୁ ବହିଷ୍କୃତ ହେବା ପରେ ପରେ ଅନେକ ବରିଷ୍ଠ ନେତାଙ୍କୁ ମଧ୍ୟ କଟୁ ସମାଲୋଚନା କରିବାକୁ ପଛାଇନାହାନ୍ତି । ତେବେ ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ବିଜେଡ଼ି ପକ୍ଷରୁ ଦାମଙ୍କ ଏପରି ଆଚରଣକୁ କଟୁ ସମାଲୋଚନା କରିଛନ୍ତି ଦଳର ସମ୍ପାଦକ ବିଜୟ ନାୟକ ।

ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବିଜେଡ଼ି ପକ୍ଷରୁ ଗଣମାଧ୍ୟମକୁ ଜଣାଇ ବିଜୟ ନାୟକ ଦଳ ପକ୍ଷରୁ କହିଛନ୍ତି, ବିଜେଡିରୁ ବହିଷ୍କୃତ ଡା. ଦାମୋଦର ରାଉତ ନିଜର କର୍ମଫଳ ଭୋଗୁଛନ୍ତି । ତାଙ୍କର ବର୍ତ୍ତମାନ ଦୟନୀୟ ଅବସ୍ଥା ପାଇଁ ସେ ନିଜେ ହିଁ କେବଳ ଦାୟୀ । କଥାରେ ଅଛି, “ଆପଣା ହସ୍ତେ ଜିହ୍ୱା ଛେଦି, କେ ଅବା ତା’ର ପ୍ରତିବାଦୀ ।” ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୟା ଓ ଅନୁଗ୍ରହରୁ ଡା. ରାଉତ ଚାରି ଚାରିଥର ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି । ଏବେ ନିଜ ଭୁଲ ପାଇଁ ମନ୍ତ୍ରିମଣ୍ଡଳରୁ ଗଲା ପରେ ସେ ଯେଭଳି ଦଳ ବିରୋଧରେ ତଥା ଦଳର ସର୍ବମାନ୍ୟ ନେତାଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି, ସେଥିରୁ ତାଙ୍କର ଅସଲ ପରିଚୟ ଜଣାପଡୁଛି । ତାଙ୍କର ପ୍ରଳାପକୁ ଓଡ଼ିଶାବାସୀ ଗ୍ରହଣ କରୁନାହାନ୍ତି ବରଂ ସେ ନିଜକୁ ଏକ ହାସ୍ୟାସ୍ପଦ ଭୂମିକାରେ ରଖିସାରିଛନ୍ତି ।

ଡା. ରାଉତଙ୍କର ନିଜ ଅଞ୍ଚଳରେ ମଧ୍ୟ ଜନସମର୍ଥନ ନାହିଁ, ତାହା ଆଗାମୀ ଦିନରେ ଜଣାପଡିବ । ଡା. ରାଉତ ଜଣେ ବର୍ଷୀୟାନ ଓ ଅନୁଭବି ନେତା । ତାଙ୍କର ଅବଶିଷ୍ଟ ରାଜନୈତିକ ଜୀବନକୁ ସେ ନିଜ ହାତରେ ହତ୍ୟା କରିଛନ୍ତି, ଏଥିପାଇଁ କେହି ଦାୟୀ ନୁହନ୍ତି । “କର୍ମୁ ଅଧିକ ଯେ ଲୋଡ଼ଇ, ଚୋର ସମାନ ଦଣ୍ଡ ପାଇ” ଏହା ଡା. ରାଉତଙ୍କ କ୍ଷେତ୍ରରେ ଶତପ୍ରତିଶତ ପ୍ରଯୁଜ୍ୟ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି ।

Leave A Reply

Your email address will not be published.