ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ। ପୂର୍ବତନ ଲୋକସଭା ସାଂସଦ ମହେଶ ସାହୁ ଏହି ସୂଚନା ଦେଇଛନ୍ତି। ଯାହା ଆଗାମୀ ଦିନରେ ବିଜେପି ବିରୋଧରେ ବିଜେଡିର ଏକ ବଡ଼ ଇଙ୍ଗିତ।
ମହେଶ ସାହୁ କହିଛନ୍ତି, “ଅତୀତରେ ଆମେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନଡିଏକୁ ସମର୍ଥନ କରିଥିଲୁ। କିନ୍ତୁ ଏବେ ପରିସ୍ଥିତି ଅଲଗା। ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରିବୁ ନାହିଁ।” ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଓ୍ଵାକଫ ବୋର୍ଡ ପ୍ରସଙ୍ଗ ଏବେ ଆଲୋଚନାରେ ନାହିଁ। ଦଳର ଫୋକସ କେବଳ ନିର୍ବାଚନ ଉପରେ ରହିଛି।
ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦ ଖାଲି ହୋଇଛି। ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିସାରିଛନ୍ତି। ଏନଡିଏ ଓ ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବାକୁ ବାକି ଥିବାବେଳେ ବିଜେଡିର ଭୂମିକା ନେଇ ଚର୍ଚ୍ଚା ଜୋର ଧରିଛି।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏନଡିଏକୁ ସମର୍ଥନ ଦେଲେ ବିଜେପି ସହ ବନ୍ଧୁତା ରହିଛି ବୋଲି ଦେଖାଯିବ। ଏହା ରାଜନୈତିକ ସମାଲୋଚନାକୁ ଆମନ୍ତ୍ରଣ କରିବ। ଅନ୍ୟପକ୍ଷେ, ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ବିଜେଡି ଜାତୀୟ ବିରୋଧୀ ମେଣ୍ଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ନାଁ ପୂର୍ବ ଭଳି ନବୀନ ସମଦୂରତା ରାଜନୀତିକୁ ଆପଣେଇବେ ତାହା ଚର୍ଚ୍ଚାର ବିଷୟ।
ଉଲ୍ଲେଖଯୋଗ୍ୟ, ସଂସଦର ଲୋକସଭାରେ ବିଜେଡିର କୌଣସି ସାଂସଦ ନାହାନ୍ତି। ରାଜ୍ୟସଭାରେ ମୋଟ୍ ସାତ ସାଂସଦ ରହିଛନ୍ତି। ସେମାନଙ୍କ ମଧ୍ୟରେ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
Comments are closed.