ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତାଙ୍କ ନାପସନ୍ଦ। ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସମାବେଶ ଶ୍ରଦ୍ଧାଞ୍ଜଳି ସଭା ନୁହେଁ ବରଂ ଏହା ଏକ ଦଳୀୟ ସମାବେଶ ବୋଲି ବିଜେପିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।
ଶ୍ରଦ୍ଧାଞ୍ଜଳୀ ସଭା ୧୨ ଦିନରେ ଆୟୋଜିତ ହେଉଛି। ସେଥିରେ ଯଦି ରାଜନୈତିକ ଉଦ୍ଦେଶ୍ୟ ରଖି ସମାବେଶ କରିବା ଆଶ୍ଚର୍ଯ୍ୟ ଘଟଣା ଭଳି ଲାଗୁଛି ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳୀ ସଭାରେ ନବ ଦାସଙ୍କ ନିର୍ବାଚନମଣ୍ଡଳୀ ଲୋକ ଏବଂ ଅନ୍ୟମାନେ ଯିବା କଥା । କିନ୍ତୁ ଦଳୀୟ ରାଜନୀତି ଏମିତି ବ୍ୟବହାର କରିଛନ୍ତି ଯେ ଅନ୍ୟ ଦଳ ଲୋକ କେହି ଆସିବେ ନାହିଁ ଏବଂ ରାଜନୈତିକ ସମାବେଶ କରିବେ। ୧୨ ଦିନରେ ରାଜନୈତିକ ସମାବେଶ କରିବା ଉଚିତ ନୁହେଁ। ଏହା ସମ୍ପୁର୍ଣ୍ଣ ଭାବେ ଭୋଟ ରାଜନୀତି।
ତେବେ ନବଙ୍କ ଶ୍ରଦ୍ଧାଞ୍ଜଳୀ ସଭାକୁ ତାଙ୍କୁ ଡକା ଯାଇନାହିଁ। ଏହା ବିଜେଡ଼ିର ରାଜନୈତିକ ସଭା ହୋଇଥିବାରୁ ତାଙ୍କୁ କାହିଁକି ସେମାନେ ଡାକିବେ ବୋଲି ଜୟନାରାୟଣ କହିଛନ୍ତି। ଡକାଯାଇଥିଲେ ମଧ୍ୟ ସେ ଯାଇନଥାନ୍ତି ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି।
ଏପରି କହିବାକୁ ଯାଇ ବିଜେଡି ବିଧାୟକ ସାରଦା ପ୍ରସନ୍ନ ନାୟକ ଝାରସୁଗୁଡାରେ ଏକ ଶୋକସଭାରେ କହିଥିବା କଥା ଦୋହରାଇଛନ୍ତି ଜୟନାରାୟଣ ମିଶ୍ର। କିଭଳି ଅଧିକରୁ ଅଧିକ ବ୍ୟବଧାନରେ ଉପନିର୍ବାଚନ ଜିତି ହେବ ସେ ନେଇ ଆହ୍ୱାନ କରିଥିଲେ ସାରଦା। ଯାହାକୁ ନେଇ ଜୟନାରାୟଣ କହିଛନ୍ତି, ମଲା ଜାଗାରେ ରାଜନୀତି କରୁଛନ୍ତି । ଶବରେ ରାଜନୀତି କରୁଛନ୍ତି । ମଲା ଶବକୁ ଅସ୍ତ୍ରୋପଚାର କରୁଛନ୍ତି। ଏମାନେ କିଭଳି ଲୋକ ଓଡ଼ିଶାବାସୀ ବିଚାର କରିବେ।
ଏପରି କହିବା ସହିତ ହତ୍ୟାକାଣ୍ଡର ସଠିକ ତଦନ୍ତ ହେଉନାହିଁ ବୋଲି ସେ କହିଛନ୍ତି। କାରଣ ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାରରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜୟନାରାୟଣ କହିଛନ୍ତି।
ତେବେ ଜୟନାରାୟଣଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ। ବିରୋଧୀଙ୍କ କାମ ବିରୋଧ କରିବା। ପ୍ରତିଦିନ ବିଭିନ୍ନ ନେତା ବିଭିନ୍ନ କଥା କହୁଛନ୍ତି। ବିରୋଧୀଙ୍କ କଥାରେ ତାଳମେଳ ନାହିଁ। ଏସବୁ ଶୁଣିଲେ ନିର୍ଣ୍ଣାୟକ ସ୍ତରରେ କେହି ପହଞ୍ଚିପାରିବେ ନାହିଁ। ରାଜ୍ୟରେ ଆଇଶୃଙ୍ଖଳା ସ୍ଥିତି ଠିକ୍ ଅଛି । ବିନା ପ୍ରମାଣରେ ବିରୋଧୀ ବିଧାୟକ ମିଛ କଥା କହୁଛନ୍ତି। ଯେଉଁ ଅଭିଯୋଗ ଆଣୁଛନ୍ତି ସେସବୁର ପ୍ରମାଣ ଦାଖଲ କରିବାକୁ ବିଜେଡି ବିଧାୟକ ଏହି ଅବସରରେ ଆହ୍ୱାନ କରିଛନ୍ତି। ବିଭିନ୍ କଥା କୁହାଯାଉଛି ତଦନ୍ତ ପରେ ସମସ୍ତ କଥା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
Comments are closed.