Latest Odisha News

BREAKING NEWS

ଶାସକ ଦଳ ସହ ମୁକାବିଲା ପାଇଁ ଅଭିଜ୍ଞଙ୍କୁ ଆଗକୁ ଆଣି ବିଜେଡି ଗଢ଼ିଲା ନୂଆ ଟିମ୍

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ବିଜେପି ସହ ମୁକାବିଲା ପାଇଁ ବିରୋଧୀ ବିଜୁ ଜନତା ଦଳ ଅଭିଜ୍ଞଙ୍କୁ ନେଇ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ମୁଖପାତ୍ର ଟିମ୍ ଗଠନ କରିଛି। ଯେଉଁଥିରେ ବରିଷ୍ଠ ମାନଙ୍କୁ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ଦଳର ସର୍ବେସର୍ବା କୁହାଯାଉଥିବା ଭି.କେ ପାଣ୍ଡିଆନଙ୍କ ସମୟରେ ଦଳ ପାଇଁ ଯେଉଁମାନେ ମୁଖପାତ୍ର ଦାୟିତ୍ୱରେ ଥିଲେ ସେମାନଙ୍କ ମଧ୍ୟରେ ଥିବା ପ୍ରାୟ ସଦସ୍ୟଙ୍କୁ ଏହି ଟିମରୁ ଅବ୍ୟାହତି ଦିଆଯାଇଛି। ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ନୂଆ ଟିମ୍ ଜାରି କରାଯାଇଛି।

ମୁଖପାତ୍ର ଟିମରେ ବିଧାୟକ, ପୂର୍ବତନ ବିଧାୟକ, ମନ୍ତ୍ରୀ ଏବଂ ନିର୍ବାଚନ ବେଳେ ଦଳ ବଦଳ କରି ଆସିଥିବା ନେତାଙ୍କୁ ଗୁରୁତ୍ୱ ଦିଆଯ।ଇଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ପ୍ରମିଳା ମଲ୍ଲିକ, ଦେବୀ ମିଶ୍ରଙ୍କ ସମେତ ୧୪ ଜଣଙ୍କୁ ଏହି ଟିମରେ ସାମିଲ କରାଯାଇଛି। ଅନ୍ୟମାନେ ହେଲେ ପ୍ରତାପ କେଶରୀ ଦେବ, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାରାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର, ଲେନିନ ମହାନ୍ତି ପ୍ରମୁଖ ରହିଛନ୍ତି।

ଏହାବାଦ ସଂତୃପ୍ତ ମିଶ୍ର, କଳିକେଶ ସିଂହ ଦେଓ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ପ୍ରଦୀପ ମାଝୀ ସମେତ ୬ ନେତାଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ। ଏଥିସହ ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନଙ୍କ ରାଜନୈତିକ ସଚିବ ଦାୟିତ୍ୱ ଭାବେ ନିଯୁକ୍ତି ମିଳିଛି। ଏହାବାଦ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଲୋକ ସଂପର୍କ ଅଧିକାରୀ ଭାବେ ସୁକାନ୍ତ ପଣ୍ଡାଙ୍କୁ ନିଯୁକ୍ତି ଦେଇଛି ଦଳ।

ସେହିପରି ପ୍ରତାପ ଜେନାଙ୍କୁ ବରିଷ୍ଠ ମିଡିଆ ସଂଯୋଜକ ଭାବେ ଦାୟିତ୍ୱ ଦେଇଥିବା ବେଳେ ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ସୋଶିଆଲ ମିଡିଆ ସଂଯୋଜକ, ଲେନିନ ମହାନ୍ତି ଓ ଡକ୍ଚର ପ୍ରିୟବ୍ରିତ ମାଝୀଙ୍କୁ ମିଡିଆ ସଂଯୋଜକ ଦାୟିତ୍ୱ ମିଳିଛି।

Comments are closed.