Latest Odisha News

BREAKING NEWS

‘ଦଲାଲମାନଙ୍କୁ ସହାୟତା କରୁଥିଲେ ପୂର୍ବ ସରକାର’

ଭୁବନେଶ୍ବର: ଦଲାଲ ମାନଙ୍କୁ ସହାୟତା କରୁଥିଲେ ପୂର୍ବ ସରକାର। ପ୍ରତିଶ୍ରୁତି ଦେଇ ଫାଙ୍କି ଥିଲେ, ହେଲେ ଆମ ସରକାର ୬ ମାସ ଭିତରେ ସବୁ ପୂରଣ କରିଛି। ଆଜି ବରଗଡ଼ରେ ଚାଷୀଙ୍କୁ ଇନପୁଟ ଟଙ୍କା ବଣ୍ଟନ କରିବା ବେଳେ ପୂର୍ବ ସରକାରଙ୍କୁ ସିଧା ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ୬ ମାସ ଭିତରେ ପ୍ରତିଶ୍ରୁତି ପୂରଣ କରିଛି । ଆମ ସରକାର ମିଛୁଆ ସରକାର ନୁହେଁ, ଯାହା କହିଛି କରି ଦେଖାଇଛି । ପୂର୍ବ ସରକାର ଦଲାଲ ମାନଙ୍କୁ ସହାୟତା କରୁଥିଲେ । ଲୋକଙ୍କୁ ଠକିଥିଲେ। ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଦେଇନଥିଲେ। ହେଲେ ଆମ ସରକାର ପ୍ରତିଶ୍ରୁତି ପୂରଣ କରିଛି। ଆମ ସରକାର ବର୍ଦ୍ଧିତ ରାଶି ଦେବା ପରେ ଇର୍ଷାରେ ଜଳୁଛନ୍ତି ବିଜେଡ଼ି ନେତା। କେବଳ ଭୋଟ ବ୍ୟାଙ୍କ ପାଇଁ ସବୁ ନାଟ ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଚାଷୀଙ୍କୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ପ୍ରଦାନ କରିଛନ୍ତି। କ୍ବିଣ୍ଟାଲ୍‌ ପିଛା ୨୩ଶହ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ଦେଇ ଧାନ କିଣା ଯାଉଥିବାବେଳେ ୩୧୦୦ ଟଙ୍କାରେ ଧାନକିଣା ନେଇ ନିର୍ବାଚନ ଇସ୍ତାହାରରେ ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେଣୁ ଧାନ କ୍ବିଣ୍ଟାଲ୍‌ ପିଛା ଅତିରିକ୍ତ ୮ଶହ ଟଙ୍କା ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ଏହି କାର୍ଯ୍ୟକ୍ରମରେ ଧାନ ବିକ୍ରି କରିଥିବା ଚାଷୀଙ୍କୁ ୮ଶହ ଟଙ୍କାର ଅତିରିକ୍ତ ସହାୟତା ବଣ୍ଟନ କରିଛନ୍ତି।

 

Comments are closed.