Latest Odisha News

ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ବିଜେଡି: ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତାରେ ଅସହିଷ୍ଣୁ ଓ ଭୟଭୀତ ହୋଇପଡିଛି ଶାସକ ବିଜେଡି । ବିଜେପି ଲୋକପ୍ରତିନିଧିମାନଙ୍କୁ ଅଯଥାରେ ବିରୋଧ କରିବା ସହ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀକୁ ବିରୋଧ ପ୍ରସଙ୍ଗରେ ଆଜି ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ।

ଦିଲୀପ ମଲ୍ଲିକ କହିଛନ୍ତି ଯେ, ବିରୋଧୀଙ୍କୁ ଦମନ କରିବାର ଅପଚେଷ୍ଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ଓ ଅଭିଯୋଗ ସଂପର୍କରେ ପଚାରି ବୁଝିବା ପାଇଁ ଆଜି ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର କଟକର ବୁଦ୍ଧେଶ୍ୱରୀ କଲୋନୀକୁ ଯାଉଥିବା ସମୟରେ ଯେଉଁ ଭଳି ଭାବେ ତାଙ୍କ ଗାଡିକୁ ଜୋରଜବରଦସ୍ତ ଅଟକ ରଖାଯାଇ ବିରୋଧ ପ୍ରଦର୍ଶନ କରାଗଲା, ତାହା ଅତ୍ୟନ୍ତ ଲଜ୍ଜାଜନକ । ଏହି ବିରୋଧ ସଂପୂର୍ଣ୍ଣ ଭାବେ ଶାସକ ବିଜୁ ଜନତା ଦଳ ଦ୍ୱାରା ପ୍ରାୟୋଜିତ ବୋଲି ସେ କହିଛନ୍ତି ।

ଶାସକ ବିଜୁ ଜନତା ଦଳ ଏଭଳି ହୀନ କାର୍ଯ୍ୟରୁ ନିବୃତ ରହନ୍ତୁ, ନଚେତ ତାଙ୍କ ଦଳର ନେତା ଓ ମନ୍ତ୍ରୀ ଆଗାମୀ ଦିନରେ ଭୀଷଣ ବିରୋଧର ସମ୍ମୁଖୀନ ହେବେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.