Latest Odisha News

BREAKING NEWS

ଭକ୍ତଙ୍କ ଗୁଗଲି…ଦୋଛକିରେ ବିଜେଡି !

ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଦାସଙ୍କ ଅନାସ୍ଥା ଗୁଗଲି । ବିଜେଡିରେ ଦ୍ବନ୍ଦ୍ବ, ଦଳ କରିବ କ’ଣ? ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେଡିକୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ତେବେ ଭକ୍ତଙ୍କ ଏଭଳି ଆହ୍ବାନ ବିଜେଡି ପାଇଁ ଧର୍ମସଂକଟ ପାଲଟିଛି । ଭକ୍ତଙ୍କ କଥାରେ ରାଜି ହୋଇ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେପି ଦଳକୁ କଂଗ୍ରେସର ବି-ଟିମ୍ କହି ସମାଲୋଚନା କରିବାକୁ ପଛାଇବନି । ଆଉ ରାଜି ନହେଲେ ବିଜେପି ସହ ହାତ ମିଳାଇଥିବା ଅଭିଯୋଗ ମୁଣ୍ଡାଇବାକୁ ପଡିବ । ସେପଟେ ଓ୍ବାକଫ୍ ଝଡ଼ ପରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ, ତାଉପରେ ବି ସବୁ ଦଳର ନଜର ରହିଛି ।

ବିଜେଡିକୁ ଫସାଇଦେଲେ କି ଭକ୍ତ ?

ପିସିସି ସଭାପତି ଭକ୍ତ ଦାସଙ୍କ ଅନାସ୍ଥା ଗୁଗଲି ଏବେ ବିଜେଡିର ଚିନ୍ତା ବଢାଇଲାଣି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁ । ନହେଲେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ଏହାକୁ ସମର୍ଥନ କରୁ ବୋଲି କହିଛନ୍ତି ଭକ୍ତ ଦାସ । ହେଲେ ଭକ୍ତଙ୍କ ଏହି ଗୁଗଲି ବିଜେଡିକୁ ଧର୍ମସଂକଟରେ ପକାଇଛି । ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ, ଦଳ କଂଗ୍ରେସ ସହ ହାତ ମିଳାଇଥିବା କୁହାଯିବ । ଆଉ ଯଦି ଅନାସ୍ଥା ପ୍ରସ୍ତାବ ନଆଣେ ତେବେ ବିଜେପି ସହ ଗୋପନ ସଂପର୍କ ନେଇ ଚାଲିଥିବା ଦୀର୍ଘ ଦିନର ଚର୍ଚ୍ଚା ପୁଣି ଫେରିପାରେ । ଖାଲି ସେତିକି ନୁହେଁ, ଯଦି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣେ, ଏହାକୁ ସମର୍ଥନ ନକଲେ ବିଜେଡି ଜନତାଙ୍କ ସମସ୍ୟା ପାଇଁ ସ୍ବର ଉଠାଉନଥିବା ଅଭିଯୋଗ ହେବ । ସମର୍ଥନ କଲେ ବି କଂଗ୍ରେସ ହିଁ ଏକନମ୍ବର ବିରୋଧୀ ଦଳ ବୋଲି ଲୋକଙ୍କ ପାଖକୁ ସନ୍ଦେଶ ଯିବ ।

ଖୋଲା ବିରୋଧ ନକଲେ ବିଜେଡିକୁ କ୍ଷତି

ଗତ ବର୍ଷକର ପ୍ରଦର୍ଶନ ଦେଖିଲେ, କେଉଁଠି ନା କେଉଁଠି ସରକାରଙ୍କୁ ଘେରିବାରେ କଂଗ୍ରେସ ଅଧିକ ସଫଳ । ବିଶେଷ କରି ଭକ୍ତ ଦାସ ପିସିସି ସଭାପତି ହେବା ପରଠୁ ଉଭୟ ବିଧାନସଭା ଓ ସଡ଼କରେ ବେଶୀ ଶୁଭିଛି କଂଗ୍ରେସ ସ୍ବର । ୫୧ ବିଧାୟକ ଥାଇ ମଧ୍ୟ ବିଜେଡି ମାପିଚୁପି ବିରୋଧ କରୁଥିବା ବେଳେ କଂଗ୍ରେସର ୧୪ବିଧାୟକ ଗତ ଅଧିବେଶନରେ ଗୃହ ହୁଲସ୍ତୁଲ କରିଥିଲେ । ରାଜ୍ୟର ରାଜନୈତିର ଦୃଶ୍ୟପଟ୍ଟରେ ଧୀରେ ଧୀରେ କଂଗ୍ରେସ ୧ନମ୍ବର ବିରୋଧୀ ଦଳ ଭାବେ ନାରେଟିଭ୍ ପ୍ରସ୍ତୁତ କରିବାରେ ଲାଗିଛି । ଏଭଳି ସ୍ଥିତିରେ ବିଜେଡି ସରକାରଙ୍କୁ ସିଧା ବିରୋଧ ନକଲେ କଂଗ୍ରେସ ଯାହା ଚାହୁଁଛି ତାକୁ ହାସଲ କରିବା ସହଜ ହେବ। ସୌମ୍ୟାଶ୍ରୀ ମାମଲାରେ ବିଜେଡି ନେତା ଅନେକ ଦିନ ପରେ ଜୋରଦାର ବିରୋଧ କରି ଟ୍ରାକକୁ ଫେରିବା ଭଳି ଦେଖିବାକୁ ମିଳିଥିଲା । ସମାନ ଜୋଶ ଆଗକୁ ବି ଦେଖାଯିବା ଦରକାର । ନହେଲେ ଚାହିଁ ରହିଥିବ ବିଜେଡି ଆଉ ବାଜି ମାରିନବ କଂଗ୍ରେସ ।

ଉପରାଷ୍ଟ୍ରପତି ନିର୍ବାଚନ ଅଗ୍ନିପରୀକ୍ଷା

ରାଜ୍ୟରେ ବିଜେପିକୁ ହାଲକା ବିରୋଧ କଲେ ମଧ୍ୟ କେନ୍ଦ୍ରରେ ଅଧିକାଂଶ ସମୟରେ ଏନଡିଏକୁ ସମର୍ଥନ କରିଆସିଛି ବିଜେଡି । ହେଲେ ପୂର୍ବ କଥା ଭିନ୍ନ ଥିଲା, ଏବେ ସମୀକରଣ ବଦଳିଛି । ଗତଥର ଓ୍ବାକଫ୍ ସଂଶୋଧନ ବିଲକୁ ସମର୍ଥନ ନେଇ ବିଜେଡି ଭିତରେ ହିଁ ଜୋରଦାର ବିରୋଧ କରାଯାଇଥିଲା । ବିଜେଡିର ଓ୍ବାକଫ ନିଷ୍ପତ୍ତି ଦଳର ଇମେଜକୁ କ୍ଷତି କରିଥିଲା । ପ୍ରଥମ ଥର ପାଇଁ ଦଳ ଭିତରେ ପ୍ରବଳ ଅସନ୍ତୋଷ, ଗୋଷ୍ଠୀ କନ୍ଦଳ ଓ ବିରୋଧର ସ୍ବର ଖୋଲାଖୋଲି ଦେଖିବାକୁ ମିଳିଥିଲା । ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେଡି କାହାକୁ ସମର୍ଥନ କରିବ, ତାଉପରେ ସବୁ ଦଳ ନଜର ରଖିଛନ୍ତି । ଏନଡିଏକୁ ସମର୍ଥନ କଲେ ବିଜେଡି ବିଜେପି ଭିତିରିଆ ମେଣ୍ଟ ନେଇ କୁହାଯିବ । ଆଉ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କଲେ ବି ସମାନ ଅଭିଯୋଗ ଆସିବ ।

ଆଗକୁ କଲେଜ ଇଲେକ୍ସନ୍ ହୋଇପାରେ । ରାଜ୍ୟର ପ୍ରାୟ ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ବିଜେଡିର ଭଲ ଉପସ୍ଥିତି ରହିଛି । ହେଲେ ବିଜେଡି କେମିତି ନିର୍ବାଚନ ଲଢିବ, ତାଉପରେ ଫଳାଫଳ ନିର୍ଭର କରିବ । ଠିକ୍ ସେହିପରି ଗାଁ ଗାଁରେ ବିଜେଡିର ସଂଗଠନ ରହିଥିବା ବେଳେ ଦଳର ବିଭିନ୍ନ ନିଷ୍ପତ୍ତି ତୃଣମୂଳସ୍ତରର ନେତାଙ୍କ ଉପରେ ପ୍ରଭାବ ପକାଇବ । ପିସିସି ସଭାପତି କଂଗ୍ରେସକୁ ସଂଗଠିତ କରିବାରେ ଲାଗିଥିବା ବେଳେ ବିଜେଡିକୁ ଏବେ ଡବଲ୍ ଚ୍ୟାଲେଞ୍ଜର ସାମନା କରିବାକୁ ପଡିବ । ଏଭଳି ସ୍ଥିତିରେ ଆଉ ସରକାରଙ୍କୁ ମାପିଚୁପି ବିରୋଧ ନୁହେଁ ବରଂ ଜୋରଦାର ବିରୋଧ ହିଁ ଅସ୍ତ୍ର ।

Comments are closed.